ଅଧିବେଶନ ପୂର୍ବରୁ ବିଧାନସୌଧ ପରିସରକୁ ଗୋମୂତ୍ର ସିଞ୍ଚନ କରି ଶୁଦ୍ଧ କଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ

ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ବିପୁଳ ବିଜୟ ପରେ ସରକାର ଗଠନ କରିଛି କଂଗ୍ରେସ। ଏସବୁ ଭିତରେ ଆଜି କଂଗ୍ରେସ କର୍ମୀମାନେ ରାଜ୍ୟ ବିଧାନସଭାର ଶୁଦ୍ଧିକରଣ କରିଛନ୍ତି। ଶାସକ ଦଳର କର୍ମକର୍ତ୍ତାମାନେ ଜଣେ ପୂଜାରୀଙ୍କ ସହ ମିଶି ବିଧାନସୌଧ ସମ୍ମୁଖକୁ ଗୋମୂତ୍ର ପକାଇ ସଫା କରୁଥିବା ଦେଖାଯାଇଥିଲା। ନୂଆ ବିଧାନସଭାର ତିନି ଦିନିଆ ଅଧିବେଶନ ଆରମ୍ଭ ପୂର୍ବରୁ ରୀତିନୀତିର ଏକ ଅଂଶ ଭାବରେ କଂଗ୍ରେସ କର୍ମୀମାନେ ଚାରିଆଡ଼େ ଗୋମୂତ୍ର ସିଞ୍ଚନ କରିଥିଲେ।

ଟ୍ଵିଟରରେ ସେୟାର ହୋଇଥିବା ଭିଡିଓରେ କଂଗ୍ରେସ କର୍ମୀମାନେ ଏକ ବାଲ୍ଟିରେ ଗୋମୂତ୍ର ଧରିଥିବା ଦେଖାଯାଉଛି। ଏହାକୁ ଛିଞ୍ଚିବା ପାଇଁ ହାତରେ ଖଡ଼ିକା ଧରିଛନ୍ତି। କଂଗ୍ରେସ କର୍ମୀମାନେ ଏହାକୁୁ ବାଲ୍ଟିରେ ବୁଡ଼ାଇ ପରିସରରେ ଗୋମୂତ୍ର ସିଞ୍ଚନ କରୁଛନ୍ତି। କଂଗ୍ରେସ କର୍ମୀମାନେ ପୂରା ବିଧାନସଭା ପରିସରରେ ଏହି କାର୍ଯ୍ୟ କରୁଥିବା ଦେଖାଯାଉଛି।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଦଳ କ୍ଷମତାକୁ ଆସିବା ପରେ ବିଧାନସୌଧକୁ ଗୋମୂତ୍ରରେ ଶୁଦ୍ଧ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ବିଜେପିର ଭ୍ରଷ୍ଟାଚାରରେ ବିଧାନସୌଧ ପ୍ରଦୂଷିତ ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡିକେ ଶିବକୁମାର କହିଥିଲେ ଯେ ସେ କ୍ଷମତାକୁ ଆସିବା ପରେ ବିଧାନସୌଧକୁ ଡେଟୋଲ୍‌ ଏବଂ ଗୋମୂତ୍ରରେ ଶୁଦ୍ଧ କରିବେ। ଅନ୍ୟପଟେ। କଂଗ୍ରେସର ଏଭଳି କାର୍ଯ୍ୟକ୍ରମକୁ ବିଜେପି ଶସ୍ତା କାମ ବୋଲି କହିଛି।

Related Posts