ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ତେଜିଲା ରାଜନୀତି; ବିଜେପିକୁ ଘେରିଲେ ବିରୋଧୀ, ଶସ୍ତା ରାଜନୀତି କହିଲା ବିଜେପି

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୮ ତାରିଖରେ ଉଦ୍‌ଘାଟନ ହେବାକୁ ଯାଉଛି ନୂଆ ସଂସଦ ଭବନ । ସେପଟେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନୁହେଁ, ବରଂ ରାଷ୍ଟ୍ରପତି ଉଦ୍‌ଘାଟନ କରିବା ଉଚିତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଦାବି କରିବା ପରେ ଏଭଳି ପରିସ୍ଥିତି ସୃ୍ଷ୍ଟି ହୋଇଛି। ରାହୁଲଙ୍କୁ ସମର୍ଥନ କରି କଂଗ୍ରେସ ସଭାପତି ଓ ଅନ୍ୟ ନେତାମାନେ ମଧ୍ୟ ଦାବି ଦୋହରାଇଛନ୍ତି । ସେପଟେ କଂଗ୍ରେସ ନେତାମାନଙ୍କ ତୀବ୍ର ସମାଲୋଚନା କରି ବିଜେପି କହିଛି ଯେ ସେମାନେ ଶସ୍ତା ରାଜନୀତି କରୁଛନ୍ତି।

ନୂଆ ସଂସଦ ଭବନ ଉଦ୍‌ଘାଟନ ପାଇଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ନିମନ୍ତ୍ରଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେ କହିଛନ୍ତି ଯେ ଯାହା ଜଣାପଡ଼ୁଛି ରାଷ୍ଟ୍ରପତିଙ୍କ ପ୍ରତି ମୋଦୀ ସରକାରର ସମ୍ମାନ ରହୁନି। ବିଜେପି ସରକାର ଲଗାତାର ସାମ୍ବିଧାନିକ ମର୍ଯ୍ୟାଦାକୁ ଅପମାନିତ କରୁଛି ଏବଂ ରାଷ୍ଟ୍ରପତିଙ୍କ ଅଫିସ କେବଳ ଏକ ଟୋକେନିଜମ୍‌ ବା ପ୍ରତୀକବାଦ ପାଲଟିଛି। ସଂସଦ ହେଉଛି ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା ଏବଂ ଭାରତର ରାଷ୍ଟ୍ରପତି ହେଉଛନ୍ତି ସର୍ବୋଚ୍ଚ ସାମ୍ବିଧାନିକ କର୍ତ୍ତୃପକ୍ଷ। ସେ ହେଉଛନ୍ତି ଭାରତର ପ୍ରଥମ ନାଗରିକ। ତେଣୁ ସେ ନୂଆ ସଂସଦ ଭବନ ଉଦଘାଟନ କରିବା ଉଚିତ। ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କଲେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ମର୍ଯ୍ୟାଦା ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରତୀକ ହେବ ବୋଲି ଖଡ଼ଗେ କହିଛନ୍ତି। ଉଦ୍‌ଘାଟନ ଉତ୍ସବକୁ କଂଗ୍ରେସ ବର୍ଜନ କରିପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୮ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଥିଲା ଯେ ନୂଆ ସଂସଦ ଭବନ ଉଦ୍‌ଘାଟନ ପାଇଁ ବାଚସ୍ପତି ଓମ୍‌ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କୁ ନିମନ୍ତ୍ରିତ କରିଛନ୍ତି। ରବିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହାର ବିରୋଧ କରି କହିଥିଲେ ଯେ ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ। ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଅୱେସି କହିଥିଲେ ଯେ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କାହିଁକି ସଂସଦ ଭବନ ଉଦ୍‌ଘାଟନ ପାଇଁ ବଛାଗଲାନି? ପ୍ରଧାନମନ୍ତ୍ରୀ କାହିଁକି ସଂସଦ ଉଦ୍‌ଘାଟନ କରିବେ ବୋଲି ସେ ପ୍ରଶ୍ନ କରିଥିଲେ। ଟିଏମ୍‌ସି ସାଂସଦ ସୁଖେନ୍ଦୁ ଶେଖର ରାୟ ମଧ୍ୟ ଉଦ୍‌ଘାଟନ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୋଦୀ ସାବରକରଙ୍କ ଜନ୍ମ ଜୟନ୍ତୀ ଦିନ ଉଦ୍‌ଘାଟନ ଉତ୍ସବ ପଡ଼ୁଥିବାରୁ ‌ସେ ଆପତ୍ତି ଜଣାଇଛନ୍ତି।

ତେ‌ବେ କେନ୍ଦ୍ର ମନ୍ତ୍ରୀ ହରଦିପ ସିଂହ ପୁରୀ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ, ତେଣୁ ସଂସଦ ଭବନ ସେ ଉଦଘାଟନ କଲେ କିଛି ଅସୁବିଧା ନାହିଁ। ସେହିଭଳି ବିଜେପି କହିଛି, କଂଗ୍ରେସ ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ଅଯଥା ବିବାଦ ସୃଷ୍ଟି କରୁଛି। ବିଜେପିର ମୁଖ୍ୟ ମୁଖପାତ୍ର ଅନୀଲ ବାଲୁନି କହିଛନ୍ତି, ଯେତେବେଳେ ବି କିଛି ଭଲ କାମ ହେଉଛି କଂଗ୍ରେସ ‌ନେତାମାନେ ଶସ୍ତା ରାଜନୀତି କରୁଛନ୍ତି। ରାହୁଲ ଗାନ୍ଧିଙ୍କ ଅଧୀନରେ ଏହା କଂଗ୍ରେସର ହଲ୍‌ମାର୍କରେ ପରିଣତ ହୋଇଯାଇଛି। ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ସମଗ୍ର ଦେଶ ଗର୍ବ ଅନୁଭବ କରୁଥିବା ବେଳେ କଂଗ୍ରେସ ନେତାମାନେ ଏବେ ଏହି ପ୍ର ସଙ୍ଗକୁ ନେଇ ରାଜନୀତି କରିବା ଠିକ୍ ନୁହେଁ।

Related Posts