ଲଘୁଚାପ ବର୍ଷାରେ ବଲାଙ୍ଗୀର ବେହାଲ : ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ପ୍ରବଳ ବର୍ଷା ଲାଗି ବଲାଙ୍ଗିର ବେହାଲ । ସହରର ପ୍ରମୁଖ ପାଟଣା ଛକରେ ପାଣି ଜମିବା ସହ ତୁଳସୀ ନଗର ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ସେହିପରି ତୁଳସୀ ନଗର, ହାତିସାଲ ପଡା, ମାଲପଡା, ଇନ୍ଦିରା ନଗର, ଗାନ୍ଧିନଗର ପଡା ଆଦିରେ ଲୋକଙ୍କ ଘରେ ପାଣି ପଶି ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ୍ ବନ୍ଦ ରଖିବାକୁ ଜିଲ୍ଲାପାଳ ଚଞ୍ଚଳ ରାଣା ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ଯୋଗୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲି ନଥିବା ବେଳେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସ୍କୁଲ୍‌ରେ ପାଠପଢ଼ା ହେଉଛି।

ବଲାଙ୍ଗୀର ଜିଲ୍ଲା ହାତିସାଲ ପଡରେ ପାଣି ଘେରରେ ରହି ଘର ଭାଙ୍ଗି ଯାଇଛି । ବର୍ଷା ଜାରି ରହିଥିବାରୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତକାଲି ରାତି ତମାମ ଏସପି ନିତିନ କୁଶଳକର ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣା ସହରର ବୁଲି ସ୍ଥିତି ପରଖିଛନ୍ତି । ବିଶେଷ କରି ସହରର ମାଳପଡ଼ା, ରାଜୀବନଗର, ଆଦର୍ଶପଡ଼ା, ଠିକାଦାରପଡ଼ା, ସୁଦପଡ଼ା, ନାଳଖଣ୍ଡିପଡ଼ା ଓ ଉଦୟନଗର ଭଳି ବିଭିନ୍ନ ପଡ଼ାରେ ସ୍ଥିତି ବିଗିଡ଼ିବାରେ ଲାଗିଛି।

ସୂଚନାଯୋଗ୍ୟ, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୧୨ଟି ଜିଲ୍ଲାରେ ଗତକାଲି ଓ ଆଜି ପାଇଁ ସ୍କୁଲ୍ ଛୁଟି ଘୋଷଣା କରିଥିଲେ। ଏହି ଜିଲ୍ଲା ଗୁଡ଼ିକ ହେଉଛି- କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର, ବରଗଡ଼ ଓ ଜଗତସିଂହପୁର।

Related Posts