ଦିସପୁର: ଲଗାଣ ବର୍ଷା ପରେ ଏବେ ଆସାମରେ ଉତ୍ପନ୍ନ ହୋଇଛି ବନ୍ୟା ପରିସ୍ଥିତି । ଅନେକ ଗାଁ ଜଳମଗ୍ନ ହୋଇଯାଇଥିବା ବେଳେ, ଅନେକ ଲୋକ ମୃତ୍ୟୁ ବରଣ କରିଥିବା ନେଇ ଖବର ଆସୁଛି ।

ଜଳମଗ୍ନ ରାସ୍ତାଘାଟ ସହ, ମାଟି ଅତଡ଼ା ଖସି ପାଣି ଘେରରେ ରହିଛନ୍ତି ଲୋକେ। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହୋଜାଇ ଜିଲ୍ଲା। ତେଣୁ ସେଠାକାର ଲୋକଙ୍କ ପରିସ୍ଥିତି ବୁଝିବାକୁ ପରିଦର୍ଶନରେ ଯାଇଥିଲେ ଆସାମର ବିଜେପି ମନ୍ତ୍ରୀ ଓ ବିଧାୟକ।

ବନ୍ୟାଞ୍ଚଳ ବୁଲି ଦେଖିବା ପାଇଁ ଷ୍ଟେଟ୍ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ(SDRF)ର ବୋଟ୍ ପ୍ରସ୍ତୁତ ଥିଲା। ହେଲେ ବୋଟ୍‌ ପାଖକୁ ଯିବାକୁ ହେଲେ ଆଣ୍ଠୁଏ ପାଣିରେ ପଶିଯିବାକୁ ପଡ଼ିଥାନ୍ତା। କିନ୍ତୁ ବିଧାୟକ ବାବୁଙ୍କ ବୁଟ୍‌ରେ କାଦୁଅ ଲାଗିଯିବ ବୋଲି ସେ ପାଣିରେ ନ ଓହ୍ଲାଇ ଜଣଙ୍କ ପିଠିରେ ଲାଉ ହେଇ ଯାଇ ବୋଟ୍‌ରେ ବସିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କଂଗ୍ରେସ ମଧ୍ୟ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି।

ବୁଧବାର ଆସାମ ଲୁମ୍‌ଡିଙ୍ଗ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଶିବୁ ମିଶ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ହୋଜାଇ ଜିଲ୍ଲା ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସେ ଜଣଙ୍କ ପିଠିରେ ଲାଉ ହୋଇ ବୋଟ୍‌ରେ ବସିଥିଲେ। ଏହି ଭିଡିଓକୁ ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ। ଆସାମ କଂଗ୍ରେସ ବିଧାୟକ ଟ୍ୱିଟ୍ କରି ଲେଖିଛନ୍ତି “ମୋ ଦାମି ବୁଟ୍‌ରେ କାଦୁଅ ଲାଗିବ। ବରଂ ଭଲ ହେବ ମୁଁ ସାମ୍ବାଦିକଙ୍କ ଉପରେ ଛଡ଼ିଯିବି। “

ସୂଚନା ଥାଉକି ଆସାମର ହୋଜାଇ ସହର ବନ୍ୟାରେ ପ୍ରଭାବିତ ହୋଇଛି। ହୋଜାଇ ଜିଲ୍ଲାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ୨୭ ଜିଲ୍ଲାରେ ପାଖାପାଖି ୬.୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ରାଜ୍ଯ ସରକାରଂକ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦିଆଯାଉଥିବା ବେଳେ, ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ସମସ୍ତ ପ୍ରକାର ର ସରକାରୀ ସହାୟତା ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇଛନ୍ତି ।