ସେଡ୍ ପଛରେ ଲୁଚିଯାଉଛି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସେଡ୍ ପଛରେ ଲୁଚିଯାଉଛି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ । ପ୍ରଥମେ ସିଂହଦ୍ବାର, ଏବେ ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାରରେ ଏହି ସେଡ୍ ନିର୍ମାଣ କରାଯାଇଛି। ଯାହା କେବଳ ଶ୍ରୀମନ୍ଦିରର ସୌନ୍ଦର‌୍ୟ୍ୟକୁ ଢାଙ୍କି ଦେଉନି, ମେଘନାଦ ପାଚେରି ବି ଏହାର ପୂର୍ଣ୍ଣ ଅଢ଼ୁଆଳକୁ ଚାଲି ଆସିଛି। ଏ ନେଇ ବର୍ଷକ ତଳୁ ପ୍ରତ୍ନତତ୍ତ୍ବ ବିଭାଗ ଆପତ୍ତି ଉଠାଇ ଆସିଥିଲେ ବି ଏହାକୁ ନା ଜିଲ୍ଲା ପ୍ରଶାସନ ନାଁ ଶ୍ରୀମନ୍ଦିର ପ୍ରଶାସନ, କେହି ବି କର୍ଣ୍ଣପାତ କରୁନାହାନ୍ତି। ଓଲଟା ପ୍ରତିବର୍ଷ ରଥଯାତ୍ରା ସମୟରେ ସିଂହଦ୍ବାର ସମ୍ମୁଖ ସେଡ୍ ଖୋଲା ଓ ଲଗାଇବାରେ ପ୍ରାୟ ୧୩ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଉଛି। ଏଣୁ ଏଭଳି କିଛି ନ କରି ଚାରିଦ୍ବାରରୁ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦେବାକୁ ଦାବି ହୋଇ ଆସୁଥିଲେ ବି ଏହାକୁ କେହି ଗୁରୁତ୍ବ ଦେଉନାହାନ୍ତି।

ଓଲଟା ଅଯଥା ଖର୍ଚ୍ଚର କେବଳ ବାଟ ଖୋଲି ଚାଲିଛନ୍ତି। ଭକ୍ତଙ୍କ ଦର୍ଶନ ପାଇଁ ପୂର୍ବରୁ ମେଘନାଦ ପାଚେରିକୁ ଲାଗି ରାସ୍ତା କଡ଼କୁ ସେଡ୍ ନିର୍ମାଣ କରାଯାଇଥିଲା। ଏହା ସେତେ ଉଚ୍ଚ ବି ନ ଥିଲା। ଫଳରେ ଶ୍ରୀମନ୍ଦିରକୁ ଭକ୍ତମାନେ ସ୍ପଷ୍ଟ ଦେଖି ପାରୁଥିଲେ। ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ରହିଥିବା ସାହିର ଲୋକେ ବି ସୁବିଧାରେ ଯା’ଆସ କରି ପାରୁଥିଲେ। ଘରୁ ବାହାରିଲେ ଓ ଫେରିବା ବେଳେ ପତିତପାବନଙ୍କୁ ଦେଖି ପାରୁଥିଲେ। କିନ୍ତୁ ଏବେ ବଡ଼ଦାଣ୍ଡ ମଝିରେ ଜାତୀୟ ରାଜପଥରେ ବିରାଟ ସେଡ୍ ନିର୍ମାଣ କରାଯାଇଛି। ଯାହା କେବଳ ଶ୍ରୀମନ୍ଦିର ସୌନ୍ଦର‌୍ୟ୍ୟକୁ ଲୁଚାଇ ଦେଇନି, ସାହି ଲୋକେ ଯାଆସରେ ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି। ଭିଡ଼ ଭିତରେ କଲବଲ ହେବାକୁ ପଡ଼ୁଛି। ପତିତପାବନଙ୍କୁ ଦର୍ଶନ କରିବା କାଠିକର ହୋଇଯାଇଛି।

Related Posts