ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଲେ ବେଲଜିୟର ଅଧିନାୟକ ଇଡେନ ହେଜାର୍ଡ

ଦୋହା: ବେଲଜିୟର ଅଧିନାୟକ ଇଡେନ ହେଜାର୍ଡ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ସେ ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଛନ୍ତି। ରିୟଲ ମାଡ୍ରିଡ ପକ୍ଷରୁ ଖେଳୁଥିବା ହେଜାର୍ଡ ସୋଶାଲ ମିଡିଆ ଜରିଆରେ ତତ୍କାଳ ଭାବେ ଅବସର ଘୋଷଣା କରିଛନ୍ତି।

ଏହାର ଅର୍ଥ ବେଲଜିୟମ ପାଇଁ ସେ ଆଉ ଖେଳିବେ ନାହିଁ। କିନ୍ତୁ ବିଭିନ୍ନ କ୍ଲବ ଓ ଡୋମେଷ୍ଟିକ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଦେଖିବାକୁ ମିଳିପାରେ। ୨୦୦୮ରୁ ନିୟମିତ ଭାବେ ତାଙ୍କୁ ସମର୍ଥନ ଓ ସହଯୋଗ କରୁଥିବା ଲୋକଙ୍କୁ ହେଜାର୍ଡ ଧନ୍ୟବାଦ ଜଣାଇଛନ୍ତି। ଅନ୍ତର୍ଜାତୀୟ ଫୁଟବଲକୁ ସେ ବାଏବାଏ କହିଥିବାରୁ ସମସ୍ତଙ୍କୁ ମିସ୍‌ କରିବେ ବୋଲି ମଧ୍ୟ କହିଛନ୍ତି।

ହେଜାର୍ଡ ବେଲଜିୟ ଫୁଟବଲର ଚେହେରା ଥିଲେ। ତାଙ୍କ ସମୟରେ ବେଲଜିୟମ ଅନେକ ସଫଳତା ହାସଲ କରିଥିଲା। ୨୦୦୮ରେ ବେଲଜିୟମ ପାଇଁ ଡେବ୍ୟୁ କରିଥିବା ହେଜାର୍ଡ ୧୨୬ଟି ମ୍ୟାଚ୍‌ ଖେଳି ୩୩ଟି ଗୋଲ ସ୍କୋର କରିଛନ୍ତି। ୨୦୧୮ ଫିଫା ବିଶ୍ୱକପରେ ସେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତାଙ୍କ ଟିମ ବା ବେଲଜିୟମ ତୃତୀୟ ସ୍ଥାନରେ ନିଜର ଅଭିଯାନ ଶେଷ କରିଥିଲା।

ତେବେ ଚଳିତ ବିଶ୍ୱକପରେ ୩୧ ବର୍ଷୀୟ ହେଜାର୍ଡଙ୍କ ପ୍ରଦର୍ଶନ ଆଦୌ ଆଖି ଦୃଶିଆ ନଥିଲା। ବେଲଜିୟମ ମଧ୍ୟ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଏହି ନୈରାଶ୍ୟଜନକ ପ୍ରଦର୍ଶନ ପରେ ହେଜାର୍ଡ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି।

୨୦୧୭, ୨୦୧୮ ଓ ୨୦୧୯ରେ ବେଲଜିୟର ଶ୍ରେଷ୍ଠ ଫୁଟବଲର ପୁରସ୍କାର ହେଜାର୍ଡଙ୍କୁ ମିଳିଥିଲା। ଏଥିସହ ସେ ୨୦୧୮ରେ ବେଲଜିୟମର ସ୍ପୋର୍ଟସମ୍ୟାନ ଅଫ ଦି ଇୟର ସମ୍ମାନ ମଧ୍ୟ ପାଇଥିଲେ

Related Posts