ସ୍ପିକର ସମ୍ମିଳନୀରେ ବେଙ୍ଗଲ ବିଧାନସଭା ବାଚସ୍ପତିଙ୍କ ଅଭିଯୋଗ – ” ବିଧାନସଭା କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ରାଜ୍ୟପାଳ ଧନକଡ “

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳ ଜଗଦୀପ ଧନକଡଙ୍କ ମଧ୍ୟରେ ଲଗାତାର ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥାଏ। ଏବେ ବେଙ୍ଗଲ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ମଙ୍ଗଳବାର ଦିନ ଇଣ୍ଡିଆ ସ୍ପିକର ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହିତ ଏକ ଭର୍ଚୁଆଲ୍‌ ବୈଠକରେ ବିମାନ ରାଜ୍ୟପାଳଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିଧାନସଭାରୁ ପାରିତ ହୋଇସାରିଥିବା ଅନେକ ବିଧେୟକ ରାଜ୍ଯପାଳଙ୍କ ପାଖରେ ପଡି ରହିଛି। ରାଜ୍ୟପାଳ ଏଥିରେ ଦସ୍ତଖତ କରୁ ନାହାନ୍ତି। ପଶ୍ଚିମବଙ୍ଗର ସଂସଦୀୟ ଗଣତନ୍ତ୍ରର ଏକ ଇତିହାସ ରହିଛି । ପୂର୍ବରୁ ଏଭଳି ଘଟଣା କେବେ ଦେଖା ଦେଇନଥିଲା ବୋଲି ଶ୍ରୀ ବାନାର୍ଜୀ ପିଟିଆଇକୁ କହିଛନ୍ତି। ଏହା ଉପରେ ଟିଏମସି ବିଧାୟକ ତାପସ ରୟ କହିଛନ୍ତି ,”ଆମେ ଦୀର୍ଘ ଦିନ ଧରି ଏହା କହିଆସୁଛୁ ଯେ ବର୍ତ୍ତମାନର ରାଜ୍ୟପାଳ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମୁଖପାତ୍ର ଭାବେ କାମ କରୁଛନ୍ତି। ସେ କେବଳ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁନାହାଁନ୍ତି ବରଂ ପଶ୍ଚିମବଙ୍ଗ ସରକାରଙ୍କୁ ବଦନାମ ମଧ୍ୟ କରୁଛନ୍ତି ।” କିନ୍ତୁ ବଙ୍ଗାଳ ବିଜେପି ରାଜ୍ୟପାଳଙ୍କ ସମର୍ଥନରେ ବାହାରିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ଯେ ରାଜ୍ୟପାଳ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କହୁଥିବାରୁ ଟିଏମସି ଏଭଳି ଆରୋପ ଲଗାଉଛି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ଅଭିଯୋଗ କରିଥିଲେ ଯେ, ରାଜ୍ୟପାଳ ରାଜ୍ୟରେ ଅଶାନ୍ତି ସୃଷ୍ଟି ଲାଗି ଷଡ଼ଯନ୍ତ୍ର କରୁଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଭୁଲି ରାଜ୍ୟପାଳ ଭାଜପା ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ସେ କହିଥିଲେ। ଜୁଲାଇ ୨୦୧୯ ରେ ଜଗଦୀପ ଧନକଡ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଟିଏମସି ଏବଂ ଧନକଡଙ୍କ ମଧ୍ୟରେ ବିବାଦ ଦେଖାଦେଇଛି।

Related Posts