ପୁରୀ ବ୍ୟତୀତ ଅନ୍ୟ କୈଣସି ସ୍ଥାନରେ ହେବନି ରଥଯାତ୍ରା : ହାଇକୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ବର୍ଷ କେବଳ ପୁରୀରେ ହେବ ରଥଯାତ୍ରା । ପୁରୀ ବ୍ୟତିତ ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ହାଇକୋର୍ଟ । ଏଥିସହ ସମସ୍ତ ମାମଲାକୁ କୋର୍ଟ ଖାରଜ କରିଛନ୍ତି । କୋଭିଡ୍ କଟକଣା ପାଳନ କରି ପୁରୀ ଭଳି, କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ସମେତ ବରଗଡ ଭଟଲିରେ ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ମନା କରିଦେଇଛନ୍ତି ହାଇକୋର୍ଟ । ପୁରୀରେ ବିନା ଭକ୍ତରେ ରଥଯାତ୍ରା ହେବ, ଏହା ବ୍ୟତିତ୍ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ସରକାର ଘୋଷଣା କରିବା ପରେ ଅନେକ ସ୍ଥାନରେ ରଥଯାତ୍ରା କରିବାକୁ ଦାବି ଆରମ୍ଭ ହୋଇଛି । ଆବେଦନକାରୀ କହିଥିଲେ ଯେ ୫୦୦ ସେବାୟତଙ୍କୁ ନେଇ କୋଭିଡ଼ କଟକଣାରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଉ । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନସଚିବ, ସ୍ୱତନ୍ତ୍ର ରିଲିଫ କମିଶନର, କେନ୍ଦ୍ରାପଡା ଜିଲ୍ଲାପାଳ, କେନ୍ଦ୍ରାପଡା ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ହାଇକୋର୍ଟରେ ଖାରଜ ହେବା ପରେ ମାମଲା ଏବେ ସୁପ୍ରିମକୋର୍ଟକୁ ଯିବ ବୋଲି ଆବେଦନକାରୀ କହିଛନ୍ତି । ଧର୍ମାନୁଷ୍ଠାନ ଭିତରେ ବିଭେଦ ସୃଷ୍ଟି କରିବା ଆଇନ୍ ସମ୍ମତ ନୁହେଁ ବୋଲି ଆଇନଜୀବୀ ଅକ୍ଷୟ ପାଣ୍ଡେ କହିଛନ୍ତି ।

Related Posts