ଟଙ୍କା ନେଇ ଗର୍ଭସ୍ଥ ମହିଳାଙ୍କ କନ୍ୟା ଭ୍ରୁଣ ହତ୍ୟା କରୁଥିବା ଏକ କ୍ଲିନିକକୁ ଠାବ କଲା ବ୍ରହ୍ମପୁର ପୋଲିସ: ମୁଖ୍ୟ ଅଭିଯୁକ୍ତ ସମେତ ୧୨ଜଣ ଗିରଫ

ବ୍ରହ୍ମପୁର : କନ୍ୟା ଭ୍ରୁଣ ହତ୍ୟା କରିବା ଆଇନ୍ ଗତ ଅପରାଧ ହୋଇଥିବା ବେଳେ, ଅନେକ ସମୟରେ ଅନେକ ସ୍ଥାନରେ ଏପରି ଅପରାଧିକ ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରରୁ ଆସିଛି ଏମିତି ଏକ ଅପରାଧିକ ଘଟଣା ।

ବର୍ଷ ବର୍ଷ ଧରି ବେଆଇନ୍ ଭାବେ କ୍ଲିନିକ କରି ଲିଙ୍ଗ ନିରୂପଣ କରିଆସୁଥିଲେ। ଟଙ୍କା ନେଇ ଗର୍ଭସ୍ଥ ମହିଳାଙ୍କ କନ୍ୟା ଭ୍ରୁଣ ହତ୍ୟା କରୁଥିଲେ। ବ୍ରହ୍ମପୁର ସହରରେ ଏହି କ୍ଲିନିକକୁ ଠାବ କରିଛି ସ୍ଥାନୀୟ ପୁଲିସ। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିକଟରେ ଏହି କ୍ଲିନିକ ଠାବ ହୋଇଛି। ମୁଖ୍ୟ ଅଭିଯୁକ୍ତ ଦୁର୍ଗାପ୍ରସାଦ ନାୟକଙ୍କ ସମେତ ୧୨ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ କିଛି ଦଲାଲକୁ ସାଥିରେ ନେଇ ଏଭଳି ବେଆଇନ କାର୍ଯ୍ୟକଳାପ ଚଳାଇ ଆସୁଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି।

ବିଶ୍ୱସ୍ତ ସୂତ୍ରରୁ ଏ ନେଇ ଖବର ପାଇବା ପରେ ପୁଲିସ, ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢାଉ ହୋଇଥିଲା। ଦୁର୍ଗା, ତାଙ୍କ ଶଢୁ ହରି ଦଳାଇ, ଶଳା ଅକ୍ଷୟ ଦଳାଇ ମିଶି ଏହି ରାକେଟର ମୁଖ୍ୟ ଥିଲେ। ଏମାନେ ବିଭିନ୍ନ ଘରୋଇ ମେଡିକାଲ, ଡାଇଗୋନଷ୍ଟିକ ସହ ଯୋଗାଯୋଗରେ ରହିଥିଲେ। ବେଆଇନ ଭାବେ ଲୁଚାଛପାରେ ଏହି ଜଘନ୍ୟ କାଣ୍ଡ ଚାଲିଥିଲା। ସେମାନଙ୍କ ଠାରୁ ଅନେକ ଆପତି ଜନକ ସାମଗ୍ରୀ ଜବତ କରାଯାଇଥିବା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

ତେଣେ ବେଆଇନ ଭାବେ ଚାଲିଥିବା ଅଭିଯୋଗ କରି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ଆଜି ଦୁଇଟି କ୍ଲିନିକ କୋର୍ଟପେଟା ସ୍ଥିତ ବାଜପାୟୀ କ୍ଲିନିକ ଓ ସାଇ କୃପା ଉପରେ ଚଢ଼ାଉ ହୋଇଥିଲା। ବାଜପେୟୀ କ୍ଲିନିକରେ ଜଣେ ସାଧାରଣ ରୋଗୀଙ୍କୁ ଭୁଲ ଯାଞ୍ଚ କରି ମନ ଇଛା ତଥା ଭୁଲ ଚିକିତ୍ସା କରିବା ଓ ବିପୁଳ ଅର୍ଥ ଆଦାୟ କରିବା ଅଭିଯୋଗ ହୋଇଥିଲା। ଏନେଇ ରୋଗୀଙ୍କ ସମ୍ପର୍କୀୟ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ପରେ ଚଢ଼ାଉ ହୋଇଥିଲା। ସାଇ କୃପାରେ କାଗଜ ପତ୍ର ଯାଞ୍ଚ ବେଳେ ତାହା ଠିକ ରହିଥିବା ଜଣାପଡ଼ିଥିଲା। ହେଲେ ବାଜପାୟୀ କ୍ଲିନିକରେ ଚଢ଼ାଉ ବେଳେ ବହୁ ଅନିୟମିତତା ରହିଥିବା ଜଣାପଡିଥିଲା।

ଏଠାରେ ଚଢ଼ାଉ ବେଳେ ଡାକ୍ତର ଓ ଷ୍ଟାଫ ମାନେ ଫେରାର ହୋଇଯାଇଥିଲେ। କ୍ଲିନକ ଚାଲିବା ନିମନ୍ତେ ଆବଶ୍ୟକ ରେଜିଷ୍ଟ୍ରେସନ ନ ଥିଲା। ତେଣୁ ଉକ୍ତ କୋଠାକୁ ସିଲ କରି ଦିଆଯାଇଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତର ଓ କ୍ଲିନିକ ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

Related Posts