କରୋନା ଭୟ: ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁର : ରାଜ୍ୟରେ ପୁଣି ଥରେ କରୋନା ମହାମାରୀ ମୁଣ୍ଡ ଟେକିଛି । ପୁଣି ଥରେ ସଂକ୍ରମଣ ହାର ଉପର ମୁହଁ ହୋଇଛି । ବଢ଼ୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି କଠୋଇ ହେଲା ବ୍ରହ୍ମପୁର ମହାନଗର ନିଗମ । ଏଣିକି ସହରରେ ବାଧ୍ୟତାମୂଳକ ହେଲା ମାସ୍କ ।

ଯଦି କେହି ବି କୋଭିଡ଼ ନିୟମକୁ ନମାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଦଣ୍ଡିତ ମଧ୍ୟ କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମା ଅନୁଯାୟୀ, ଦୋକାନୀ ଦୋକାନ ସମ୍ମୁଖରେ ‘ନୋ ମାସ୍କ, ନୋ ଏଣ୍ଟ୍ରି’ ଓ ‘ନୋ ମାସ୍କ, ନୋ ଗୁଡ୍‌ସ’ର ଫଳକ ଲଗାଇବେ । ମାସ୍କ୍ ନଥିଲେ ଦୋକାନ, ବଜାର, ଅନୁଷ୍ଠାନରେ କର୍ମଚାରୀଙ୍କୁ ଭିତରେ ପ୍ରବେଶ ନିଷେଧ। ମାସ୍କ୍ ନଥିଲେ ଗ୍ରାହକଙ୍କୁ ଜିନିଷ ମନା। ଏହାସହିତ ସହରର ସମସ୍ତ ପେଟ୍ରୋଲ ପମ୍ପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ନପିନ୍ଧିଲେ ପେଟ୍ରୋଲ ମନା । ଏପିରିକି ବାହାରେ ମଧ୍ୟ ଛେପ ପକାଇବାକୁ ମନା। ବଜାର ଅଞ୍ଚଳ, ମାର୍କେଟ୍ କଂପ୍ଲେକ୍ସ, ଜନଗହଳିପୂର୍ଣ୍ଣ ଅଞ୍ଚଳ, ପାର୍କ, ମନ୍ଦିର, ଓପନ ଜିମ୍‌, ମଲ୍, ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନରେ ସବୁଠି ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ ନିର୍ଦ୍ଦେଶ ରହିଛି ।

Related Posts