
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ୭ ବର୍ଷ (୨୦୧୪ ରୁ ୨୦୨୧) ମଧ୍ୟରେ ନିର୍ବାଚନ ପୂର୍ବରୁ ଦଳ ଛାଡିଛନ୍ତି ବିଜୁ ଜନତା ଦଳର ୬ ବିଧାୟକ ଓ ସାଂସଦ। ନାସନାଲ୍ ଇଲେକସନ୍ ୱାଚ୍ ଓ ଆସୋସିଏସନ୍ ଫର୍ ଡିମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ଜାରି ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ୭ ବର୍ଷ (୨୦୧୪ ରୁ ୨୦୨୧) ଅବଧି ମଧ୍ୟରେ ଦଳର ୩ ଜଣ ପ୍ରାର୍ଥୀ ଦଳ ଛାଡ଼ିଛନ୍ତି।
ଏଡିଆର ରିପୋର୍ଟ ମୁତାବକ ବିଧାୟକ ଓ ସାଂସଦମାନଙ୍କ ଦଳ ଛାଡ଼ିବା ପ୍ରତିଶତ ୧.୨ ପ୍ରତିଶତ। ଅପରପକ୍ଷରେ ଏହି ସମାନ ଅବଧି ମଧ୍ୟରେ ପ୍ରାର୍ଥୀ ଦଳ ଛାଡିବା ପ୍ରତିଶତ ହେଉଛି ୦.୨୬ । ଏହି ରିପୋର୍ଟ ଅନୁଯାୟୀ ସେହି ସାତ ବର୍ଷ ମଧ୍ୟରେ ଅନ୍ୟ ଦଳର ୧୬ ଜଣ ପ୍ରାର୍ଥୀ ବିଜେଡିରେ ସାମିଲ ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ ପାର୍ଟିରୁ ଆସି ବିଜେଡିରେ ଯୋଗଦେଇଥିବା ପ୍ରାର୍ଥୀଙ୍କ ପ୍ରତିଶତ ୧.୪୧ ରହିଛି। ଏଥି ସହିତ ୩ ଜଣ ବିଧାୟକ ଓ ସାଂସଦ ବିଜେଡିରେ ଯୋଗଦେଇଥିଲେ। ଯାହାକି ୦.୬୬ ପ୍ରତିଶତ ରହିଛି। ଏଡିଆର ରିପୋର୍ଟରେ ୨୦୧୪ ରୁ ୨୦୨୧ ମଧ୍ୟରେ ସର୍ବାଧିକ ୧୭୭ ଜଣ କଂଗ୍ରେସ ବିଧାୟକ ଓ ସାଂସଦ (୩୫ ପ୍ରତିଶତ) ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଦେଇଥିବା ନେଇ ରିପୋର୍ଟରେ ଦର୍ଶାଇଛନ୍ତି।