ବ୍ଯବସ୍ଥାରେ ଆସୁନି ସୁଧାର : ଏସ୍‌ସିବି ଏକ୍‌ମୋ‌ରେ ଚିକିତ୍ସିତ ହେଉଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ସରକାର କୋଟିଏ ଟଙ୍କାର ଚିକିତ୍ସା ବ୍ୟବସ୍ଥା‌ ମାଗଣାରେ ଯୋଗାଇ ଦେଲେ , କିନ୍ତୁ ମେଡିସିନ , ବ୍ଲଡ୍ , ପ୍ଲାଜମା ପାଇଁ ଆମକୁ ଚିଠା ଧରାଇ ଦେଉଛନ୍ତି । ବ୍ଲଡ ବ୍ୟାଙ୍କ ଆଉ କାଉଣ୍ଟରରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ବି ସେତକ ମିଳିବା ବି ସମ୍ଭବ ହେଉନି । ସରକାର କଣ ଏ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରି ପାର‌ିବେ ନାହିଁ ? ମୋ’ ଭଉଣୀର ଜୀବନ ସିନା ଚାଲିଗଲା, କିନ୍ତୁ ଆଉ କାହାର ଜୀବନ ଆଉ ନଯାଉ। ’ ଭାଇକୁ ହରାଇବା ପରେ ଏମିତି କିଛି ପ୍ରଶ୍ନ କରିଛନ୍ତି ଏସସିବି ଏକମୋ ୟୁନିଟରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ବଲାଙ୍ଗୀରର ଜ୍ୟୋତିର୍ମୟୀ ପଣ୍ଡା (୩୮)ଙ୍କ ଭଉଣୀ ସୁଜାତା ମିଶ୍ର। 

ଗତ ମାସ ୨୯ ତାରିଖରେ ଜ୍ୟୋତିର୍ମୟୀଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ଜଗତ୍‌ପୁରର ସଦ୍‌ଗୁରୁ ହସ୍ପିଟାଲରୁ ଗ୍ରିନ୍‌ କରିଡର ଯୋଗେ କଟକ ବଡ ଡାକ୍ତରଖାନାରେ ଥିବା ଏକ୍‌ମୋ ୟୁନିଟ୍‌କୁ ଅଣା ଯାଇଥିଲା। କିନ୍ତୁ ଗତ କାଲି ବିଳମ୍ବିତ ରାତ୍ରିରେ ହୃଦ୍‌ଘାତରେ ଜ୍ୟୋତିର୍ମୟୀଙ୍କର ମୃତ୍ୟୁ ଘଟିଥିବା ନେଇ ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେ ଦୀର୍ଘ ୩ ମାସ ତଳେ କୋଭିଡ୍ ଆକ୍ରାନ୍ତ ହୋଇ ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ କଟକର ସଦଗୁରୁ ହସ୍ପିଟାଲ୍‌କୁ ଅଣାଯାଇଥିଲା।

ତେବେ ଉଲ୍ଲେଖଯୋଗ୍ୟ ଯେ ଗଲା ଶନିବାର ଦିନ ଏସ୍‌ସିବିରେ ଏକ୍‌ମୋ ଚିକିତ୍ସାରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଜଗନ୍ନାଥ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଜଗନ୍ନାଥଙ୍କ ପରିବାର ମଧ୍ୟ ରକ୍ତ ଯୋଗାଡ଼ କରିବା ପାଇଁ ଦୁଇ ଦିନ ଚେଷ୍ଟା କରିଥିବା କହିଛନ୍ତି। ତାଙ୍କ ପରିବାର ଲୋକଙ୍କ କହିବା କଥା ହେଉଛି ସେମାନଙ୍କୁ ବି ପଜିଟିଭ ଗ୍ରୁପର ଏକ ରକ୍ତ ପ୍ଲାଜମା ଆଣିବାକୁ କୁହା ଯାଇଥିଲା। ପରିବାର ଲୋକେ ଦୁଇଟି ରକ୍ତ ଭଣ୍ଡାରକୁ ଯାଇ ରକ୍ତ (ପ୍ଲାଜ୍‌ମା) ପାଇ ପାରି ନିଥିଲେ। ଏକାଧିକ ରକ୍ତର ଆବଶ୍ୟକତା ଥିବାରୁ ରକ୍ତଭଣ୍ଡାର କର୍ତ୍ତୃପକ୍ଷ ସେମାନଙ୍କୁ ‘ଡୋନର୍‌’ ‌ଯୋଗାଡ କରିବାକୁ କହିଥିଲେ। କିନ୍ତୁ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। 

ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଦେଶର ପ୍ରଥମ ମାଗଣା ଏକ୍‌ମୋ ଚିକିତ୍ସା ବ୍ୟବସ୍ଥାର ଉଦଘାଟନ ହୋଇଥିଲା। ତେବେ ଏତେବଡ଼ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇଥିବା ସତ୍ବେ ଏଭଳି ଘଟଣା ତାହା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଉଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୭ତାରିଖରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୯ଟି ଏକ୍‌ମୋ ମେସିନ୍‌କୁ ଲୋକାର୍ପିତ କରିଥିଲେ। ଏହି ୟୁନିଟ୍‌ ଏସ୍‌ସିବିରେ ଲୋକର୍ପଣ ହେବାପରେ ୪ଜଣଙ୍କୁ ଏକ୍‌ମୋ ଚିକିତ୍ସା ମିଳିଥିବା ବେଳେ ସେଥିରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ୨ଜଣ ଚିକିତ୍ସିତ ହେଉଛନ୍ତି।

ତେବେ ଏକ୍‌ମୋ ଚିକିତ୍ସା ହେଉଛି ଏକ ଅତି ସମ୍ବେଦନଶୀଳ ଚିକିତ୍ସା । ଏକମୋ ସପୋର୍ଟରେ ରହୁଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତିଟି ମୁହୂର୍ତ୍ତରେ ଅନୁଧ୍ୟାନ କରାଯାଇଥାଏ। ଆଉ ଏଭଳି ପରିସ୍ଥିତିରେ ଯଦି ରକ୍ତ ଏବଂ ମେଡିସିନ ପାଇଁ ପଠାଇ ଦିଆଯାଏ। ଏବଂ ସବୁଠାରୁ ବଡ଼ କଥା ହେଉଛି ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବା ପରେ ମଧ୍ୟ ରକ୍ତ ସଂଗ୍ରହ ହୋଇ ନପାରିବା ବେଳକୁ ରୋଗୀର ସ୍ଥିତି କିଭଳି ରହି ଥିବ ତାହା ବିଚାର ଯୋଗ୍ୟ ? ପ୍ରଶ୍ନ ଉଠୁଛି ଯେ କଟକ ବଡ ମେଡିକାଲର ନିଜସ୍ବ ବ୍ଲଡ୍ ବ୍ୟାଙ୍କ ରହିଥିବା ବେଳେ ମାତ୍ର ୪ ଜଣ ଗୁରୁତର ରୋଗୀ ଏକ୍‌ମୋ ସପୋର୍ଟରେ ଅଛନ୍ତି। କଣ ୪ ଜଣଙ୍କ ପାଇଁ ଏସସିବି କର୍ତ୍ତୃପକ୍ଷ ନିଜ ପକ୍ଷରୁ ରକ୍ତ ‌ବା ପ୍ଲାଜମା ଯୋଗାଇ ପାରି ନଥାନ୍ତେ ? ଏଭଳି ବ୍ୟବସ୍ଥାକୁ ନେଇ ଏବେ ଅସନ୍ତୋଷ ବଢୁଥିବା ବେଳେ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ସେପଟେ ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ କହିଛନ୍ତି ଯେ ଏକମୋ ସପୋର୍ଟରେ ଥିବା ରୋଗୀଙ୍କୁ ତୁରନ୍ତ ରକ୍ତ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରକ୍ତ ଦେବାରେ କିଛି ସମସ୍ୟା ନାହିଁ।

Related Posts