ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ ବାର୍ତ୍ତା ପରେ ଓଡ଼ିଶାବାସୀଙ୍କୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ବଡ଼ ଅପିଲ୍ କରିଛନ୍ତି।
ନିଜର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଏବେ କଣ୍ଢେଇ ଭାବେ ନଚାଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ଏଆଇ ପ୍ରସ୍ତୁତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ମେସେଜକୁ, ପ୍ରକୃତରେ ରେକର୍ଡ ହୋଇଥିବା ଭିଡିଓ ମେସେଜ୍ ଯେମିତିକି ହେଲିକପ୍ଟରରୁ କିମ୍ବା ବିରଳ ସାର୍ବଜନୀନ ଉପସ୍ଥିତିର ଭିଡିଓ ମେସେଜ୍ ସହ ତୁଳନା କଲେ ଉଭୟ ଭିତରେ ଥିବା ଆକାଶ ପାତାଳ ଫରକ ସ୍ପଷ୍ଟ ବାରି ହୋଇପଡ଼ିବ।
ଜଣେ ବୟସ୍କଙ୍କ ସହ ଏଭଳି ଅପମାନକୁ ଅଣଦେଖା ନକରିବାକୁ ସେ ରାଜ୍ୟବାସୀ ତଥା ଗଣମାଧ୍ୟମକୁ ଅପିଲ୍ କରିଛନ୍ତି। ଏଥିସହ ଆପଣମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଲାଇଭ୍ ଘୋଷଣା କିମ୍ବା ରେକର୍ଡିଂ ଉପରେ ଜୋର୍ ଦେବାକୁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ। ଏହା ବ୍ୟତୀତ ଏଭଳି ଏଆଇ ପ୍ରସ୍ତୁତ ବାର୍ତ୍ତାକୁ ଭରସା ନକରିବାକୁ କହିଛନ୍ତି ବୈଜୟନ୍ତ। କିଏ କ’ଣ ସେମାନଙ୍କୁ କହୁଛି ତାହା ଜାଣିବାର ଅଧିକାର ଓଡ଼ିଶାବାସୀଙ୍କର ଅଛି ବୋଲି ବୈଜୟନ୍ତ ସୋଶାଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ତେବେ ବୈଜୟନ୍ତ ନିଜ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାରି ହେଉଥିବା ଭିଡିଓକୁ ଏଆଇ ଜେନେରେଟେଡ଼ ବୋଲି କହିଥିବାବେଳେ ପାଣ୍ଡିଆନଙ୍କ ନାଁ ନନେଇ ସେ ନବୀନଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି ବୋଲି କହିଛନ୍ତି | ହେଲେ ବୈଜୟନ୍ତଙ୍କ ଏ ପୋଷ୍ଟ ଉପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।