ଭୁୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶରେ ଲୋକମାନେ ମଦକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । କିଛି ଦିନ ପୂର୍ବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏକ ମଦ ଦୋକାନରେ ଭଙ୍ଗାରୁଜା କରି ମଦ ବନ୍ଦ କରିବାକୁ ଦାବି କରିଥିଲେ। ଏହାର ଠିକ କିଛି ଦିନ ପରେ ମଧ୍ୟପ୍ରଦେଶରେ ମଦ ପୂର୍ବ ଅପେକ୍ଷା ଶସ୍ତା ହୋଇଥିଲା। ଏହା ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଶା ବିରୋଧୀ ଅଭିଯାନକୁ ପ୍ରୋତ୍ସାହିତ କରୁଛନ୍ତି। ତେବେ ଉଜୈନରେ ନିଶାମୁକ୍ତ ଅଭିଯାନକୁ ନେଇ ଏକ ସଭାରେ ଶିବରାଜ ସିଂ ଚୌହାନ ସମ୍ବୋଧିତ କରୁଥିଲେ । ଏହି ସମୟରେ ସେ କହିଥିଲେ ଯେ “ନିଶା ହେଉଛି ବିନାଶର ମୂଳ। ବର୍ତ୍ତମାନ ମୁଁ ଯେଉଁ ନିଶା କଥା କହୁଛି ଭାଙ୍ଗକୁ ଛାଡ଼ି କହୁଛି । କାହିଁକିନା ଭାଙ୍ଗ ହେଉଛି ଶିବଙ୍କର ପ୍ରସାଦ । ତେଣୁ ଏହାକୁ ଭାଙ୍ଗକୁ ଜାତୀୟ ଖାଦ୍ୟ ପଦାର୍ଥ ଭାବରେ ଘୋଷଣା କରିଦେବା ଉଚିତ ।
କିନ୍ତୁ ମଦ ନିଶା ହେଉ କିମ୍ବା ଚରସ କିମ୍ବା ହିରୋଇନ୍ ନିଶା ହେଉ, ସେମାନେ ମଣିଷର ଅନେକ କ୍ଷତି ପହଞ୍ଚାଇଥାନ୍ତି । ଯଦି ମଦ ବନ୍ଦ କଲେ ମଧ୍ୟ ନିଶା ବନ୍ଦ ହେବ ନାହିଁ । ଏପରି କରିବାକୁ ହେଲେ ନିଶାମୁକ୍ତ ସମାଜ ବନାଇବାକୁ ପଡ଼ିବ । ଯେତିକି ଏହି ଅଭିଯାନ ବଢ଼ିବ ଲୋକମାନେ ସେତିକି ନିଶା ଠାରୁ ଦୂରରେ ରହିବେ । ଯାହା ଫଳରେ ମଦ ଦୋକାନ ଗୁଡ଼ିକ ଆପେ ଆପେ ବନ୍ଦ ହୋଇଯିବ ବୋଲି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
