୧୦ ବର୍ଷର ଛୁଆକୁ ଗିଳିଦେଲା ପରେ କୁମ୍ଭୀରକୁ ଅଟକ ରଖିଲେ ଗାଁ ଲୋକେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୦ ବର୍ଷର ଛୁଆକୁ ଗିଳିଦେଲା ପରେ କୁମ୍ଭୀରକୁ ଅଟକ ରଖିଲେ ଗାଁ ଲୋକେ । ଏହା ପରେ କୁମ୍ଭୀର ପେଟ ଭିତରୁ ପୁଅକୁ ଜୀବିତ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ଗାଁ ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ତେବେ ଏକଠାର ସୈପୁରସ୍ଥିତ ଚମ୍ବଲ ନଦୀରେ ସୋମବାର ସକାଳେ ଜଣେ ୧୦ ବର୍ଷର ନାବାଳକ ଗାଧୋଉଥିବା ବେଳେ କୁମ୍ଭୀର ହାବୁଡରେ ପଡିଥିଲା। କୁମ୍ଭୀରଟି ବାଳକଟିକୁ ଗିଳି ଦେବା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବାଳକଟିକୁ କୁମ୍ଭୀର ମଝି ନଈକୁ ଟାଣି ନେବା ପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ବାଳକଟିର ପରିବାର ଓ ସମ୍ପର୍କୀୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜାଲ ବିଛାଇ ଓ ବାଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ଧରିବାରେ ସମର୍ଥ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ପୁଲିସ୍‌ ବିଭାଗ ମଧ୍ୟ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ କୁମ୍ଭୀରଟିକୁ ଗାଁ ଲୋକଙ୍କ କବଳରୁ ମୁକ୍ତ କରିବାକୁ ଚାହିଁଥିଲେ ବି ସେମାନେ ରାଜି ହୋଇନଥିଲେ। ପରିବାର ଲୋକ କୁମ୍ଭୀର ପାଟି ଭିତରୁ ବାଳକଟିକୁ ବାହାରକୁ ବାହାର କରିବା ପରେ ଯାଇ ସେମାନେ କୁମ୍ଭୀରଟିକୁ ଛାଡ଼ିବେ ବୋଲି ଅଡ଼ି ବସିଥିଲେ।

ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଉଦ୍ଧାରକାରୀ ଦଳଙ୍କୁ କୌଣସି ପ୍ରକାରର ସହାୟତା କରିନଥିଲେ। କୁମ୍ଭୀର ପେଟ ଭିତରେ ବାଳକଟି ଜୀବିତ ଥିବ ବୋଲି ଗାଁ ଲୋକଙ୍କ ଆଶା ରହିଥିଲା। କୁମ୍ଭୀର ମୁହଁ ଖୋଲିବା ପାଇଁ ଗାଁ ଲୋକେ ତା’ପାଟିରେ ଏ ବଡ ବାଉଁଶ ମଧ୍ୟ ପୂରାଇ ଦେଇଥିଲେ। ବହୁ ବୁଝାସୁଝା ପରେ ଗାଁ ଲୋକେ ବନ୍ଧକ କରି ରଖିଥିବା ଉକ୍ତ କୁମ୍ଭୀରଟିକୁ ବନବିଭାଗକୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts