ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ ଗିରଫ | ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି | ଗିରଫ ଅଭିଯୁକ୍ତମାନେ ହେଲେ ସିନିୟର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ ପପୁ କୁମାର | ଏହି ତିନିଜଣ ଅଭିଯୁକ୍ତଙ୍କ ନାମରେ ଆଇପିସିର ଧାରା ୩୦୪ ଓ ୨୦୧ ସିଆରପିସିରେ ମାମଲା ରୁଜୁ ହୋଇଛି | ମିଳିଥିବା ସୂଚନା ମୁତାବକ ଅପରାଧିକ ଷଡଯନ୍ତ୍ର ସହ ପ୍ରମାଣ ନଷ୍ଟ କରିବା ଭଳି ସଂଗୀନ ଅଭିଯୋଗ ସିବିଆଇ ଏମାନଙ୍କ ନାମରେ ଆଣିଛି | କୁହାଯାଉଛି ଯେ ଏହି ତିନିଜଣ ଅଭିଯୁକ୍ତ ଜାଣିଥିଲେ ଯେ ସେମାନଙ୍କ କାର୍ଯ୍ୟକଳାପ ଲାଗି ଏଭଳି ଦୁର୍ଘଟଣା ଘଟିବ | ଏହା ସତ୍ତ୍ୱେ ବି ସେମାନେ କାହାକୁ ଜଣାଇନଥିଲେ |

ଉଲ୍ଲେଖ ଥାଉ କି ଦକ୍ଷିଣପୂର୍ବ ରେଳ ସୁରକ୍ଷା କମିସନର (ସିଆର୍‌ଏସ୍‌) ମଧ୍ୟ ତଦନ୍ତ ରିପୋର୍ଟରେ ଏହି କଥା କହିଥିଲେ | ତାଙ୍କ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରାକ୍‌ରେ କିଛି ଅସୁବିଧା ନଥିଲା। ସମସ୍ୟାଟି ଥିଲା ସିଗ୍‌ନାଲ୍‌ ଓ ଟେଲି ଯୋଗାଯୋଗ ବିଭାଗରେ। ଷ୍ଟେସନ୍‌ ମ୍ୟାନେଜର, ସିଗନାଲ ଇଞ୍ଜିନିୟର, ଟେକ୍ନିସିଆନ୍ କାହାରି କାହା ସହ ତାଳମେଳ ରହିଲାନି। ସିଗ୍‌ନାଲ ସଙ୍କେତ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ତାର, ଉପକରଣ ମରାମତି କ୍ଷେତ୍ରରେ ମଧ୍ୟ ଏକାଧିକ ତ୍ରୁଟି ରହିଥିଲା। ଏହାକୁ ନଜରଅନ୍ଦାଜ କରାଯିବା ଫଳରେ ବାହାନଗା ଭଳି ଏତେ ବଡ଼ ରେଳ ବିପର୍ଯ୍ୟୟ ଘଟିଲା |

ସୁଚାନଯୋଗ୍ୟ ଯେ, ବାହାନଗା ରେଳ ଦୁର୍ଘଟଣାରେ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି।