ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଯୋଡ଼ ଯାତ୍ରାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ। ସେ କହିଛନ୍ତି କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ କେବଳ ରାହୁଲ ଗାନ୍ଧିଙ୍କ ‘ରିଲଞ୍ଚିଂ’ ଛଡା ଆଉ କିଛି ନୁହେଁ ଓ ଏହା ସାଧାରଣ ଲୋକଙ୍କ ପାଇଁ ନୁହେଁ। ଭାରତରେ କଂଗ୍ରେସ ଓ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ରାହୁଲ ଗାନ୍ଧି ଏହି ଯାତ୍ରା କରୁଛନ୍ତି ବୋଲି ବମ୍ମାଇ କହିଛନ୍ତି।

ରାଇଚୁର ତାଲୁକର ଗିଲସୁଗୁର ଗ୍ରାମରେ ମୁଖ୍ୟମନ୍ତ୍ରୀ ବମ୍ମାଇ ଓ ପୂର୍ବତନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ଅଧ୍ୟକ୍ଷତାରେ ବିଜେପିର ‘ସଂକଳ୍ପ ଯାତ୍ରା’ ଆରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବମ୍ମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ଯେ, କଂଗ୍ରେସ ଦଳରେ ଯୋଗଦେବା ଦିନରୁ ସିଦ୍ଧରମୈୟା ସମାଜବାଦ ଛାଡିଛନ୍ତି। ସେ ଏକ ସମାଜବାଦୀ ପୃଷ୍ଠଭୂମିରୁ ଆସିଛନ୍ତି ଓ ଯେଉଁ ଦିନ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ, ସେହିଦିନ ଠାରୁ ସେ ‘ସମାଜବାଦ’ ଛାଡିଥିଲେ। ଦୁଃଖର ବିଷୟ ଯେ ସିଦ୍ଧରମୈୟା ଏକ ଛୋଟ ପିଲା ଅଧୀନରେ କାମ କରୁଛନ୍ତି ଓ ତାଙ୍କ ନିର୍ଦ୍ଦେଶକୁ ଅନୁସରଣ କରୁଛନ୍ତି। ଏହା ଆତ୍ମ ସମ୍ମାନର ଲକ୍ଷଣ ନୁହେଁ କହି ସେ ପରୋକ୍ଷରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।

ତେବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡ ଯାତ୍ରା’କୁ ୩୩ ଦିନ ବିତିଛି। ଏହି ଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। ଏଠାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏବେ କଂଗ୍ରେସ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।