ଭାରତ ଯୋଡ଼ୋ ପଦଯାତ୍ରା: ବଳ ପୂର୍ବକ ଚାନ୍ଦା ଆଦାୟକୁ ନେଇ ୩ କଂଗ୍ରେସ କର୍ମୀ ନିଲମ୍ବିତ

କୋଲ୍ଲାମ: ଭାରତ ଯୋଡ଼ୋ ପଦଯାତ୍ରାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଦୀର୍ଘ ୮ ଦିନ ହେଲା ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ନେଇ କିଛି ନା କିଛି ବିବାଦ ଲାଗି ରହିଥିବା ବେଳେ ଏସବୁ ଭିତରେ କିଛି କଂଗ୍ରେସ କର୍ମୀ ଭାରତ ଯୋଡ଼ୋ ଯାତ୍ରା ବେଳେ ଗୁଣ୍ଡାଗର୍ଦ୍ଦି କରିବା ସହ ବଳ ପୂର୍ବକ ଚାନ୍ଦା ଦେବାକୁ ବାଧ୍ୟ କରିବା ବେଳର ଭିଡିଓ ସାମ୍ନାକୁ ଆସିଛି।

କେରଳର କୋଲ୍ଲାମ ଅଞ୍ଚଳରେ କଂଗ୍ରେସର କର୍ମୀମାନେ ପରିବାର ବିକାଳୀମାନଙ୍କ ଠାରୁ ବଳପୂର୍ବକ ଚାନ୍ଦା ଆଦାୟ କରିବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆଜି ଦଳ ପକ୍ଷରୁ ୩ ଜଣ କଂଗ୍ରେସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ଭାରତ ଯୋଡ଼ୋ ଯାତ୍ରା ବେଳେ କିଛି କଂଗ୍ରେସ କର୍ମୀ ପରିବାର ବିକାଳୀଙ୍କୁ ଚାନ୍ଦା ପାଇଁ ଧମକ ଦେଇଥିଲେ। ଯାତ୍ରା ପାଇଁ ଆବଶ୍ୟକ ଅର୍ଥ ନ ଦେବାରୁ ସେମାନେ ପରିବାର ପତ୍ର ଫିଙ୍ଗି ଦେଇଥିଲେ। ଏଥିସହ ଦୋକାନରେ ଥିବା କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ କଂଗ୍ରେସ କର୍ମୀଙ୍କ ଆଚରଣକୁ ସମାଲୋଚନା କରାଯାଇଥିଲା।

ଏବେ ଦଳ ଘଟଣାରେ ସାମିଲ ଥିବା ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି କେରଳ କଂଗ୍ରେସ ମୁଖ୍ୟ କେ ସୁଧାକରନ ଟ୍ୱିଟ କରି କହିଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ କିଛି କଂଗ୍ରେସ କର୍ମୀ ଦୋକାନ କରିଥିବା ଲୋକମାନଙ୍କ ସହ ପାଟିତୁଣ୍ଡ କରିଥିଲେ। ପାଟିତୁଣ୍ଡ କରୁଥିବା ଲୋକମାନଙ୍କ ହାତରେ ଭାରତ ଯୋଡ଼ୋ ଯାତ୍ରାର ପତାକା ରହିଥିଲା। ସେମାନେ ନିଜକୁ କଂଗ୍ରେସ କର୍ମୀ ବୋଲି କହିବା ସହ ଯାତ୍ରା ପାଇଁ ଟଙ୍କା ମାଗିଥିଲେ। ସେମାନେ ଜଣେ ଦୋକାନୀଙ୍କୁ ହତ୍ୟା ଧମକ ଦେବା ସହ ତାଙ୍କ କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ବେଳେ ଜଣେ ବ୍ୟକ୍ତି ଦୋକାନରେ ଥିବା ପରିବା ଫୋପାଡ଼ୁ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପାଟିତୁଣ୍ଡ କରୁଥିବା ଲୋକମାନେ ଦୋକାନୀଙ୍କୁ ୨ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ହେଲେ ସେ ମାତ୍ର ୫୦୦ ଟଙ୍କା ଦେଇଥିଲେ। ଏହି ସମୟରେ ଚାନ୍ଦା ଆଦାୟ କରୁଥିବା ଲୋକମାନେ ଟଙ୍କା ନ ଦେଲେ, କେହି ବି ଏଠି ବଞ୍ଚି ମାରିବେ ନାହିଁ ବୋଲି ଧମକ ଦେଇଥିଲେ।

ଟଙ୍କା ଆଦାୟ କରୁଥିବା ୫ ଜଣଙ୍କ ମଧ୍ୟରେ ଯୁବ କଂଗ୍ରେସର ରାଜ୍ୟ ସମ୍ପାଦକ ଏଚ୍‌ ଅନୀଶ ଖାନ ମଧ୍ୟ ରହିଥିଲେ। ଆକ୍ରମଣର ଶିକାର ହୋଇଥିବା ଦୋକାନୀ ମାଲିକ ଏସ୍‌ ଫୱାଜ ଘଟଣା ପରେ କୁନ୍ନିକୋଡ ପୁଲିସ୍‌ ନିକଟରେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ।

କଂଗ୍ରେସର ଯୋଗାଯୋଗ ବିଭାଗର ଇନଚାର୍ଜରେ ଥିବା ଜୟରାମ ରମେଶ କହିଛନ୍ତି, କେରଳ ପ୍ରଦେଶ କଂଗ୍ରେସ କମିଟି ଦୀର୍ଘ ବର୍ଷ ହେଲା ଲୋକଙ୍କ ଚାନ୍ଦାରେ ଚଳୁଛି। ସେମାନଙ୍କ ରାଜନୀତି ତୃଣମୂଳ ସ୍ତରରୁ ମିଳୁଥିବା ଛୋଟ ଛୋଟ ଡୋନେସନ ଦ୍ୱାରା ପରିଚାଳିତ। କିନ୍ତୁ କୋଲ୍ଲାମରେ ଯେଉଁ ଘଟଣା ଘଟିଲା, ତାହା ଆଦୌ ଗ୍ରହଣୀୟ ନୁହେଁ। ଘଟଣା ଘଟାଇଥିବା ୩ ଜଣ ଫ୍ରିଞ୍ଜ ଏଲିମେଣ୍ଟ୍ସ। ସେମାନଙ୍କ ବିରୋଧରେ ପିସିସି ସଭାପତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେ କହିଛନ୍ତି।

Related Posts