(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ହେଉଛି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ। ସାରା ବିଶ୍ବରେ ଆତ୍ମହତ୍ୟାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏହି ଦିନର ଶୀର୍ଷକ ରଖାଯାଇଛି ‘ସମସ୍ତେ ମିଳିମିଶି ଆସନ୍ତୁ ଆତ୍ମହତ୍ୟାକୁ ରୋକିବା’ । ତେବେ ସଚେଚନତା ସତ୍ବେ ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ତେବେ ସବୁଠାରୁ ଚିନ୍ତାଜନକ ବିଷୟଟି ହେଉଛି ଆମ ରାଜ୍ୟ ଓଡ଼ିଶା।ହେଉଛି ଆତ୍ମହତ୍ୟା କ୍ଷେତ୍ରରେ ଜାତୀୟ ହାରଠାରୁ ବି ଆଗରେ । ଦେଶରେ ପ୍ରତିବର୍ଷ ଘଟୁଥିବା ମୋଟ ଆତ୍ମହତ୍ୟାର ୩.୩ ପ୍ରତିଶତ ଓଡ଼ିଶାରେ ହିଁ ଘଟୁଛି । ଓଡ଼ିଶାର ଆତ୍ମହତ୍ୟା ହାର ଜାତୀୟହାର ଠାରୁ ବହୁତ ଅଧିକ । ଜାତୀୟ ହାର ୧୦.୪ ଥିବା ବେଳେ ଓଡ଼ିଶାରେ ଆତ୍ମହତ୍ୟା ହାର ୧୦.୫ ରହିଛି । ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ୫ ବର୍ଷରେ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁସାରେ ଭାରତରେ ୬ ଲକ୍ଷ ୬୮ ହଜାର ୧୫୭ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୯ର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମୋଟ ୪୫୯୨ଟି ଆତ୍ମହତ୍ୟା ଘଟିଥିବା ବେଳେ ସେଥି ମଧ୍ୟରୁ ୧୪୬୦ଟି ଆତ୍ମହତ୍ୟା କେବଳ ପରିବାରିକ କନ୍ଦଳ ଯୋଗୁଁ ଘଟିଛି ।
ତଥ୍ୟ ଅନୁଯାୟୀ, ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ଆତ୍ମହତ୍ୟା କରୁଛନ୍ତି। ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆତ୍ମହତ୍ୟା ପ୍ରବଣତା ୩ ଗୁଣ ଅଧିକ ବୋଲି କହିଛନ୍ତି ଏସ୍ସିବି ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡାକ୍ତର ସତ୍ୟକାମ ମହାପାତ୍ର ।
ସୂଚନା ମୁତାବକ, ୨୦୧୯ରେ ଭାରତରେ ୧ ଲକ୍ଷ ୪୦ ହଜାର ଲୋକ ଆତ୍ମହତ୍ୟା କରିଥିବା ବେଳେ ଓଡିଶାରେ ୪୫ ଶହ ଜଣ ଆତ୍ମହତ୍ୟା କରିଛନ୍ତି। ଦେଶରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୁବକଙ୍କ ସଂଖ୍ୟା ହେଉଛି ୬୭ ପ୍ରତିଶତ। ତେବେ ତଥ୍ୟ କହୁଛି ଯେ, ୨୦୧୭ ମସିହାରୁ ୨୦୧୯ ମସିହା ମଧ୍ୟରେ ୨୪ ହଜାର କିଶୋର ଓ କିଶୋରୀ (୧୪ ରୁ ୧୮ ବର୍ଷ) ଆତ୍ମହତ୍ୟା କରିଛନ୍ତି। ଭାରତରେ ଦୈନିକ ୩୮୦ଜଣ ଆତ୍ମହତ୍ୟା କରୁଥିବା ବେଳେ ପ୍ରତି ଘଣ୍ଟାରେ ହାରାହାରି ୧୬ଜଣ ଆତ୍ମହତ୍ୟା କରୁଛନ୍ତି। ୨୦୧୯ରେ ଦେଶରେ ୧୦ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୫ରେ ୧ଲକ୍ଷ ୩୩ହଜାର ୬୨୩ଜଣ, ୨୦୧୬ରେ ୧ଲକ୍ଷ ୩୧ହଜାର ୮ ଜଣ, ୨୦୧୭ରେ ୧ଲକ୍ଷ ୨୯ହଜାର ୮୮୭ ଜଣ, ୨୦୧୮ରେ ୧ଲକ୍ଷ ୩୪ହଜାର ୫୧୬ଜଣ, ୨୦୧୯ରେ ୧ଲକ୍ଷ ୩୯ହଜାର ୧୨୩ଜଣ ଆତ୍ମହତ୍ୟା କରିଛନ୍ତି।
ଏସ୍ସିବି ପ୍ରଫେସର ଡାକ୍ତର ସତ୍ୟକାମ ମହାପାତ୍ର କହିଛନ୍ତି ଯେ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ବିପଜ୍ଜନକ ଭାବେ ବୃଦ୍ଧି ପାଉଛି। ପାଠପଢାର ଚାପ, ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମରେ ଅସଫଳ ହେବା ଓ ଭଲ ଚାକିରି ନ ମିଳିବା ଆଦି ଅନେକ କାରଣରୁ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଉଛି।