ତାଲିବାନର ବିତଣ୍ଡା ଯୁକ୍ତି – ” କ୍ୟାବିନେଟରେ ମହିଳାଙ୍କର କ’ଣ କାମ ? ସେମାନେ ଘରେ ରହି ଛୁଆ ଜନ୍ମ କରିବା ଉଚିତ୍”

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ବଦଳିଲା ତାଲିବାନର ସ୍ବର। ଯହା ଆଶା କରାଯାଉ ଥିଲା ତାହା ଏବେ ସତରେ ରୂପାନ୍ତରିତ ହେବାକୁ ଯାଉଛି। ତାଲିବାନ ସରକାର ଗଠନ ପରେ ମହିଳାଙ୍କ ଅଧିକାର ଦେବ ବୋଲି କହୁଥିବା ତାଲିବାନ ତାହାର ଅସଲ ରୂପ ଦେଖାଉଛି । ତାଲିବାନ ମନ୍ତ୍ରୀମଣ୍ଡଳରେ ଜଣେ ବି ମହିଳାଙ୍କୁ ସ୍ଥାନ ମିଳି ନ ଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ତାଲିବାନ ମୁଖପାତ୍ର। ସେ କହିଛନ୍ତି, ” “ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ। ମହିଳା ମନ୍ତ୍ରୀ ହେବାର ଅର୍ଥ ହେଉଛି ତାଙ୍କ ବେକରେ କିଛି ବାନ୍ଧିଦେବା ଭଳି। ଯାହାର ଭାର ସେମାନେ ଉଠାଇ ପାରିବେ ନାହିଁ। ମହିଳାମାନଙ୍କର କ୍ୟାବିନେଟରେ ରହିବା ଆବଶ୍ୟକତା ନାହିଁ। ତାଙ୍କୁ ଛୁଆ ଜନ୍ମ କରିବା ଉଚିତ୍। ସେମାନଙ୍କର ଏହାହିଁ କାମ।” ତାଲିବାନୀ ସରକାରର ପ୍ରବକ୍ତା ସୈୟଦ ଜାକିରୁଲ୍ଲାହ ହାଶମୀ ଏପରି ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି।

କାବୁଲ ଅକ୍ତିଆର କରିବା ପରେ ମହିଳାମାନଙ୍କ ଅଧିକାର ତଥା ସେମାନଙ୍କ ସ୍ୱାଧୀନତା ଉପରେ ରୋକ ଲଗାଯିବ ନାହିଁ ବୋଲି ବିଶ୍ୱ ସମୁଦାୟ ଆଗରେ କହିଥିବା ତାଲିବାନ ଏବେ ସ୍ୱର ବଦଳାଇଛି । ଆଫଗାନିସ୍ତାନର ନୂତନ ଅନ୍ତରୀଣ ସରକାରରେ ଆତଙ୍କବାଦୀଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ଜଣେ ବି ମହିଳାଙ୍କୁ କିନ୍ତୁ ସାମିଲ କରାଯାଇ ନାହିଁ। 

ମହିଳାଙ୍କ ନିକଟରୁ ସେମାନଙ୍କ ଅଧିକାର ଛଡ଼ାଇ ନିଆଯିବା ପରେ ବିରୋଧ ପ୍ରଦର୍ଶନ କରୁଛନ୍ତି ସେଠାକାର ମହିଳା । ଏହାର ପରିଣାମ ସ୍ୱରୂପ ସେମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଯାଇ ପଶୁ ପରି ପିଟୁଛନ୍ତି ତାଲିବାନୀ । ଏପରିକି ତାଲିବାନ ସରକାରଙ୍କୁ ବିରୋଧ କରୁଥିବା ମହିଳା ସମଗ୍ର ଦେଶର ମହିଳାଙ୍କ ପ୍ରତିନିଧୀତ୍ୱ କରୁ ନାହାନ୍ତି ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି। 

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଆଫଗାନିସ୍ତାନରେ ମହିଳାମାନଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇଥିଲେ ତାଲିବାନୀ। ଏମିତିକି କଲେଜ ଗୁଡ଼ିକରେ ପୁଅ ଓ ଝିଅଙ୍କ ମଧ୍ୟରେ ପରଦା ଲଗାଯାଇଥିଲା। ଝିଅମାନଙ୍କୁ ପଢାଇବା ପାଇଁ ମହିଳା କିମ୍ବା ବୃଦ୍ଧ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହାପୂର୍ବରୁ ମାଷ୍ଟର ଏବଂ ପିଏଚଡି ଡିଗ୍ରୀକୁ ନେଇ ମଧ୍ୟ ତାଲିବାନର ପ୍ରତିକ୍ରିୟାକୁ ନେଇ ଆଲୋଚନା ହୋଇଥିଲା। ତାଲିବାନ କହିଥିଲା ଯେ, ମାଷ୍ଟର ଏବଂ ପିଏଚଡି ଡିଗ୍ରୀ କରି କିଛି ଲାଭ ନାହିଁ। ଆମେ ପାଠ ନପଢି ସରକାର ଚଳାଉଛୁ। 

Related Posts