ଷ୍ଟ୍ରିଟ ଫାଇଟର୍‌ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ସସ୍‌ପେନ୍ସ ଶେଷ ହେଲା । ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ଭୂପେଶ ବଘେଲ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଡିସେମ୍ବର ୧୧ରେ ନିର୍ବାଚନ ଫଳାଫଳ ଘୋଷଣା ହେବାପରଠାରୁ ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାହାକୁ ନେଇ ଲାଗିଥିଲା ଚର୍ଚ୍ଚା ।

ଚାରି ଜଣ ଥିଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ । ଆଶାୟୀଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଆଗୁଆ ଥିବା ବଘେଲଙ୍କ ନାଁରେ ହିଁ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଶନିବାର ନବନିର୍ବାଚିଚ କଂଗ୍ରେସ ବିଧାୟକ ଦଳ ବୈଠକରେ ଔପଚାରକିତା ପୂରଣ କରାଯାଇ ବଘେଲଙ୍କୁ ନୂଆ ନେତା ନିର୍ବାଚିତ କରାଯାଇଥିଲା । ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଲାଗି ଭୂପେଶ ବଘେଲଙ୍କ ସମେତ ବରିଷ୍ଠ ନେତା ଟିଏସ୍‌ ସିଂହଦେଓ, ଚରଣ ଦାସ ମହନ୍ତ ଏବଂ ତାମ୍ରଧ୍ବଜ ସାହୁଙ୍କ ନାମ ବି ଚର୍ଚ୍ଚାରେ ଥିଲା ।

ହେଲେ ସର୍ବସମ୍ମତି କ୍ରମେ ବଘେଲଙ୍କୁ ଚୟନ କରାଯାଇଛି । ପରେ ବଘେଲ ରାଜଭବନକୁ ଯାଇ ସରକାର ଗଠନ ପାଇଁ ଦାବି ରାଜ୍ୟପାଳଙ୍କଠାରେ ଦାବି ଉପସ୍ଥାପନ କରିଥିଲେ । ସୋମବାର ସଂଧ୍ୟାରେ ବଘେଲ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ରାୟପୁରର ସାଇନ୍ସ କଲେଜ ପଡିଆରେ ହେବ ଶପଥ ଗ୍ରହଣ ଉତ୍ସବ ।

90 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ପିସିସି ସଭାପତି ବଘେଲଙ୍କ ନେତୃତ୍ବରେ କଂଗ୍ରେସ 68 ଆସନ ପାଇଁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ଦୀର୍ଘ 15 ବର୍ଷର ରମଣ ସିଂହ ସରକାରକୁ କ୍ଷମତାଚ୍ୟୁତ କରିଥିଲା । ବଘେଲ ତ୍ରୁଣମୂଳ ସ୍ତରରେ କାମ କରିବା ସହ କେନ୍ଦ୍ର ଓ ରାଜ୍ୟର ନେତାଙ୍କ ସହ ସମନ୍ବୟ ରଖିଥିଲେ । ପିସିସି ସଭାପତି ଭାବେ ସେ ଖୁବ୍‌ ପରିଶ୍ରମ କରିଛନ୍ତି । ବିଜେପିର ଆକ୍ରମଣାତ୍ମକ ମୁକାବିଲା ପାଇଁ ବଘେଲ ହିଁ ପ୍ରସ୍ତୁତ କରିଥିଲେ ରଣନୀତି ।

କଂଗ୍ରେସରେ ଷ୍ଟ୍ରିଟ୍ ଫାଇଟର ଭାବେ ଜଣାଶୁଣା ଭୂପେଶ ବଘେଲ୍ 1961 ମସିହା ଅଗଷ୍ଟ 23ରେ ଅବିଭାଜିତ ମଧ୍ୟପ୍ରଦେଶର ଦୁର୍ଗରେ ଜନ୍ମ ନେଇଥିଲେ । ଅଶୀ ଦଶକରେ କଂଗ୍ରେସରୁ ହିଁ ରାଜନୈତିକ ଇନିଂସ୍‌ ଆରମ୍ଭ କରିଥିଲେ ବଘେଲ୍ । ପ୍ରଥମେ ଦୁର୍ଗ ଜିଲ୍ଲା ଯୁବ କଂଗ୍ରେସର ସଭାପତି ହୋଇଥିଲେ ।

2000ରେ ଛତିଶଗଡ଼ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପରେ ପାଟନ ସିଟ୍‌ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବଘେଲ୍ । ଅଜିତ ଯୋଗୀ ମନ୍ତ୍ରିମଣ୍ଡଳରେ କ୍ୟାହିନେଟ ମନ୍ତ୍ରୀ ଥିଲେ ବଘେଲ୍ । 2003ରେ କଂଗ୍ରେସ ନିର୍ବାଚନ ହାରିବା ପରେ ଭୂପେଶ ବିଧାନସଭାରେ ବିରୋଧୀ ଦଳର ଉପନେତା ଥିଲେ ।

2014ରେ ବଘେଲଙ୍କୁ ଛତିଶଗଡ଼ କଂଗ୍ରେସର ସଭାପତି ନିଯୁକ୍ତ କରାଯାଇଥିଲା ଓ ସେ ଆଜି ଯାଏଁ ଏହି ପଦବୀରେ ରହିଛନ୍ତି । ୨୦୧୩ ନକ୍ସଲ ଆକ୍ରମଣରେ ଛତିଶଗଡ଼ କଂଗ୍ରେସର ଏକାଧିକ ବରିଷ୍ଠ ନେତାଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତିରେ ବଘେଲଙ୍କ ଗୁରୁତ୍ବ ବଢିଥିଲା ।

Related Posts