କଂଗ୍ରେସର ମହାମେଣ୍ଟ ଯୋଜନାକୁ ବଡ଼ ଝଟ୍‌କା:ମତାଙ୍କ ପରେ ଶପଥ ଗ୍ରହଣ ସମାରୋହକୁ ଆସିବାକୁ ମନାକଲେ ଅଖିଳେଶ ଓ ମାୟାବତୀ

3ଟି ବଡ଼ ରାଜ୍ୟରେ ନିର୍ବାଚନ ଜିତିବା ପରେ 2019 ପାଇଁ ମହାମେଣ୍ଟକୁ ନେଇ ଜୋରଦାର ଅଭିଯାନ ଆରମ୍ଭ କରିଥିବା କଂଗ୍ରେସକୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଆସିବେ ନାହିଁ ମହାମେଣ୍ଟର ତିନି ଜଣ ସମ୍ଭାବ୍ୟ ବଡ଼ ନେତା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ପରେ ଏବେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ସମାରୋହକୁ ଆସିବାକୁ ମନା କରିଛନ୍ତି ।

୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଏକାଠି କରି କଂଗ୍ରେସ ନିଜ ନେତୃତ୍ବରେ 2019 ପାଇଁ ସମ୍ଭାବ୍ୟ ମହାମେଣ୍ଟର ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଥିଲା । ତେବେ ମାତ୍ର ଦିନ କେଇଟା ଭିତରେ ମମତା, ଅଖିଳେଶ ଓ ମାୟାବତୀଙ୍କ ପରିବର୍ତ୍ତିତ ମନୋଭାବ ମହାମେଣ୍ଟର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି ।

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠ ଦଳ ଭାବେ ନିର୍ବାଚନ ଜିତିଥିଲେ ବି ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ଛୁଇଁ ପାରି ନାହିଁ । ଏଥିପାଇଁ କଂଗ୍ରେସ ସହଯୋଗ ମାଗିବା ପୂର୍ବରୁ ମାୟାବତୀ ଓ ଅଖିଳେଶ ଏହି ଦୁଇ ରାଜ୍ୟରେ କଂଗ୍ରେସକୁ ସରକାର ଗଠନ ପାଇଁ ସମର୍ଥନ ଘୋଷଣା କରିଥିଲେ ।

କିନ୍ତୁ ମାତ୍ର ଦିନ କେଇଟା ପରେ ଏବେ ଏହି ଦୁଇ ରାଜ୍ୟ ସମେତ ଛତିଶଗଡ଼ରେ କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଏହି ଦୁଇ ପ୍ରମୁଖ ରାଜନେତା ଯୋଗ ନ ଦେବା ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ । ଏହା ପୂର୍ବରୁ ଗତ 10 ତାରିଖରେ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ 22ଟି ଦଳଙ୍କୁ ନେଇ ଆୟୋଜିତ ବୈଠକରେ ମଧ୍ୟ ଅଖିଳେଶ ଓ ମାୟାବତୀ ଯୋଗ ଦେଇନଥିଲେ ।

Related Posts