
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୋଆର ବିଚୋଲିମ୍ ମାଇନିଂ ବ୍ଲକରେ ଖଣି ଖନନକୁ ନେଇ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ବେଦାନ୍ତ ଲିମିଟେଡ୍, ସେଣ୍ଟ୍ରାଲ ପାଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଓ ଗୋଆ ରାଜ୍ୟ ପାଲ୍ୟୁସନ କଣ୍ଟ୍ରୋଲ ବୋର୍ଡ କୁ ନୋଟିସ ଜାରି କରିଛନ୍ତି | ପରିବେଶବିତ ରମେଶ ଗୌନଙ୍କ ଆବେଦନ ଉପରେ ଏହି ନୋଟିସ ଜାରି କରିଛନ୍ତି ଏନଜିଟି | ରମେଶ ଖଣି ଖନନ ପାଇଁ ବେଦାନ୍ତକୁ ମିଳିଥିବା ପରିବେଶ ମଞ୍ଜୁରୀକୁ ରଦ୍ଧ କରିବାକୁ ଆବେଦନ କରିଥିଲେ |
ଗତ 2024 ଜାନୁଆରୀ 23 ରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବେଦାନ୍ତକୁ ଏହି ଅଂଚଳରେ ପ୍ରତି ବର୍ଷ ୩ ମିଲିୟନ ଟନ ଲୁହାପଥର ଖନନ ପାଇଁ ଅନୁମତି ଦେଇଥିଲା | ତେବେ ରମେଶ ଅଭିଯୋଗ କରିଛନ୍ତି ଯେ, ବେଦାନ୍ତକୁ ଅନୁମତି ମିଳିଥିବା ଅଞ୍ଚଳରେ 13 ଟି ହ୍ରଦ ରହିଛି | ଖଣି ଖନନ ଦ୍ୱାରା ଏଗୁଡିକ ଉପରେ ପ୍ରଭାବ ପଡୁଛି | ଏଥିସହିତ ବେଦାନ୍ତକୁ ପରିବେଶ ମଞ୍ଜୁରୀ ମିଳିବା ପୂର୍ବରୁ ସଠିକ ଭାବେ ଜନଶୁଣାଣୀ ହୋଇନଥିବା ସେ ଅଭିଯୋଗ କରିଛନ୍ତି | ତାଙ୍କର ଏହି ଆବେଦନକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଶୁଣାଣି ପାଇଁ ଗ୍ରହଣ କରିବା ସହିତ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ବେଦାନ୍ତ ଲିମିଟେଡ୍, ସେଣ୍ଟ୍ରାଲ ପାଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଓ ଗୋଆ ରାଜ୍ୟ ପାଲ୍ୟୁସନ କଣ୍ଟ୍ରୋଲ ବୋର୍ଡ କୁ ନିଜ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି | ଆସନ୍ତା ଏପ୍ରିଲ 24 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ |
ସୂଚନାଯୋଗ୍ୟ ଯେ, ଗତ 2022 ଡିସେମ୍ବର ମାସରେ ବେଦାନ୍ତକୁ ଏହି ଖଣି ଇ-ଅକ୍ସନ ଜରିଆରେ ମିଳିଥିଲା | ଗତ ଅଗଷ୍ଟ 2023ରେ ଗୋଆ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଖଣି ଖନନ ନେଇ ଜନଶୁଣାଣି କରିଥିବା ଦର୍ଶାଇଛି |