
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସଂପାଦକ କେସି ବେଣୁଗୋପାଳ ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ତେବେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ, କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ ହାଇକମାଣ୍ଡ । ଏହାପରେ ପିସିସି ସଭାପତି ପଦରୁ ହଟିଥିଲେ ଶରତ ପଟ୍ଟନାୟକ । ଏହାପରେ ଦୀର୍ଘ ଦିନ ବିତିଯାଇଥିଲେ ବି, କଂଗ୍ରେସ ନିଜର ମୁଖିଆ ବାଛିପାରିନଥିଲା । ଖାସ୍ କରି କିଏ କଂଗ୍ରେସର ନୂଆ ଓଡ଼ିଶା ମୁଖିଆ ହେବ, ତାକୁ ନେଇ ଚର୍ଚ୍ଚା ବଢିଥିଲା। ଆଉ ଏହାରି ଭିତରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି କଂଗ୍ରେସର ହାଇକମାଣ୍ଡ ।
ପିସିସି ସଭାପତି ଭାବେ ନିଯୁକ୍ତି ହେଲା ପରେ ଭକ୍ତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଯୁବ ଓ ବରିଷ୍ଠଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେଘରେ ପହଞ୍ଚାଇବୁ। ସମସ୍ତେ ମୋତେ ସହଯୋଗ କରିବେ ବୋଲି ଆଶା କରୁଛି। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ବ ଦେଇଛନ୍ତି।