
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ନମାଜ ପଢ଼ିବା ସମୟରେ ପାକିସ୍ତାନର ପେଶୱାର ମସଜିଦରେ ବଡ଼ ବିସ୍ଫୋରଣ । ସମୂହ ନମାଜ ପାଠ ଚାଲିଥିବା ବେଳେ ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେପଟେ କ୍ୱିସା ଖାୱାନି ବଜାରରେ ଥିବା ଜାମିଆ ମସଜିଦରେ ଏପରି ବିସ୍ଫୋରଣ ଘଟିଛି। ଶୁକ୍ରବାର ପାଇଁ ମସଜିଦରେ ଶତାଧିକ ଲୋକ ଏକାଠି ହୋଇଥିଲେ।
ଏହି ସମୟରେ କେହି ବିସ୍ଫୋରଣ କରିଛି। ମସଜିଦର ମୁଖ୍ୟ ପ୍ରାର୍ଥନା ସ୍ଥଳରେ ବିସ୍ଫୋରଣ ଘଟିଥିବାରୁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ସେହିପରି ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ କରୁଛନ୍ତି। ଆତ୍ମଘାତୀ କିମ୍ବା ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଯୋଗୁ ବିସ୍ଫୋରଣ ଘଟିଥାଏ ପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।