ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଏହା ମଧ୍ୟରେ ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ କରିଛି ସାଂଘାତିକ ଷଡ଼ଯନ୍ତ୍ର। ତାଙ୍କୁ ହତ୍ୟା କରିବା ପାଇଁ ରୁଷ ୪୦୦ ଜଣ ଆତଙ୍କବାଦୀଙ୍କୁ ୟୁକ୍ରେନ ପଠାଇଥିବା ମଧ୍ୟ ଅଭିଯୋଗ ହୋଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଅଭିଯୋଗ କରିଆସୁଥିଲେ । ଏହା ମଧ୍ୟରେ ଟାଇମ୍ସ ଅଫ ଇଣ୍ଡିଆରେ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ବିଦ୍ରୋହୀ ଗୋଷ୍ଠୀ ୭ ଦିନ ମଧ୍ୟରେ ୩ଥର ଉଦ୍ୟମ କରିଥିଲେ ବୋଲି ଦର୍ଶାଯାଇଛି । ଏଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ରୁଷ ଆକ୍ରମଣ କରିବା ଦିନ ଠାରୁ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ୟୁକ୍ରେନରେ ସକ୍ରିୟ ହୋଇ ଯାଇଛନ୍ତି। ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ୩ ଥର ଉଦ୍ୟମ ମଧ୍ୟ ହୋଇଥିଲା। ହେଲେ ୟୁକ୍ରେନର ଗୁଇନ୍ଦା ଅଧିକାରୀମାନେ ଏହି ଯୋଜନାକୁ ପଣ୍ଡ କରିଦେଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ କ୍ରେମଲିନ୍ ସମର୍ଥିତ ୱାଗନର୍ ଗ୍ରୁପର ଭଡ଼ାଟିଆ ସଦସ୍ୟ ଓ ଚେଞ୍ଚନ୍ ସ୍ପେଶାଲ୍ ଫୋର୍ସର ସଦସ୍ୟଙ୍କୁ ପଠା ଯାଇଛି। ହେଲେ ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବାରେ ସକ୍ଷମ ହୋଇନାହାନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୁଷ ସଂଘୀୟ ସେବା ମଧ୍ୟରେ ଥିବା ଯୁଦ୍ଧ ବିରୋଧୀ ବ୍ୟକ୍ତିମାନେ ହିଁ ଜେଲେନସ୍କିଙ୍କ ହତ୍ୟା ଉଦ୍ୟମକୁ ପଣ୍ଡ କରିବାରେ ସହଯୋଗ କରିଛନ୍ତି। ଗତ ଶନିବାର ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ହେଲେ ଏ ସମ୍ପର୍କରେ ୟୁକ୍ରେନର ସୁରକ୍ଷାକର୍ମୀମାନେ ପୂର୍ବରୁ ସୂଚନା ପାଇଥିଲେ। ଯେଉଁଥିପାଇଁ ବଡ଼ ବିପଦକୁ ଟଳାଯାଇ ପାରିଛି। ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ରୁଷର କିଛି ଅଧିକାରୀ ଯୁଦ୍ଧ ବିରୋଧରେ ରହିଛନ୍ତି। ସେମାନେ ରୁଷ ସରକାର ୟୁକ୍ରେନ କରିଥିବା ଆକ୍ରମଣକୁ ଆଦୌ ସମର୍ଥନ କରୁନାହାନ୍ତି। ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା ସମ୍ପର୍କରେ ସୂଚନା କିଭକୁ ରୁଷରୁ ହିଁ ଆସିଥିଲା। ଯେଉଁମାନେ ଯୁଦ୍ଧ ସପକ୍ଷରେ ନାହାନ୍ତି, ସେମାନେ ହିଁ ସୂଚନା ଦେଇଥିଲେ। ସେମାନଙ୍କ ସୂଚନା ବଳରେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଆସିଥିବା ଗ୍ରୁପକୁ ଧ୍ୱଂସ କରି ଦିଆଯାଇଛି ବୋଲି କହିଛନ୍ତି ।





