ପଞ୍ଜାବ କଂଗ୍ରେସକୁ ବଡ ଝଟକା; ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଲେ ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରା ଜାରି ରହିଛି। ତେବେ ଏହାରି ମଧ୍ୟରେ ପଞ୍ଜାବ କଂଗ୍ରେସକୁ ଲାଗିଛି ବଡ ଝଟକା। ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ପୂର୍ବତନ ପଞ୍ଜାବ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବେଶ୍ ନିକଟତର ଅଟନ୍ତି।

ସେ ତାଙ୍କ ଇସ୍ତଫା ପତ୍ର ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ସେ ଟ୍ୱିଟର ମାଧ୍ୟମରେ ସୂଚନା ଦେବାର ମାତ୍ର କିଛି ସମୟ ମଧ୍ୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ସେ ପଞ୍ଜାବରେ କଂଗ୍ରେସ ସରକାର ସମୟରେ ଓ ଶିରୋମଣୀ ଅକାଳୀଦଳ ସରକାର ସମୟରେ ଅର୍ଥମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ ।

ତେବେ ଭାରତ ଯୋଡ ଯାତ୍ରା ମଧ୍ୟରେ ମନପ୍ରୀତ ବାଦଲଙ୍କ ଭଳି ଜଣେ ନେତା ଦଳ ଛାଡିବା କଂଗ୍ରେସକୁ ବଡ ଝଟକା ଲାଗିଛି । ଏହା ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦରସିଂ ମଧ୍ୟ କଂଗ୍ରେସ ଛାଡିଥିଲେ । କେବଳ ଏହି ଦୁଇଜଣ ନୁହଁନ୍ତି ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଝାକଡ ମଧ୍ୟ ଦଳରୁ ଇସ୍ତଫା ଦେଇସାରିଛନ୍ତି ।

ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ମନପ୍ରୀତ ବାଦଲ ପ୍ରଥମଥର ପାଇଁ ୧୯୯୫ ମସିହାରେ ଅକାଳୀଦଳ ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ ୧୯୯୭,୨୦୦୨ ଓ ୨୦୦୭ ମସିହାରେ ଲଗାତର ଭାବେ ଗିଦ୍ଦଡବାହା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୦୭ ମସିହାରେ ପ୍ରକାଶସିଂ ବାଦଲ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ । ଏକ ଘଟଣା କ୍ରମରେ ୨୦୧୦ ମସିହାରେ ସିରୋମଣୀ ଅକାଳିଦଳରୁ ବହିସ୍କୃତ ହୋଇଥିଲେ । ଏହାପରେ ୨୦୧୬ ଜାନୁଆରୀ ୧୫ ତାରିଖରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ।

Related Posts