ଜମ୍ମୁ-କଶ୍ମୀର ବାରାମୁଲାରେ ସେନାକୁ ବଡ଼ ସଫଳତା: ଏନ୍‌କାଉଣ୍ଟର ୩ ପାକିସ୍ତାନୀ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀର ବାରାମୁଲାରେ ଭାରତୀୟ ସେନାକୁ ମିଳିଛି ବଡ ସଫଳତା | ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଏହି ଗୁଳି ବିନିମୟରେ ୩ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି | ସେପଟେ ଏହି ଗୁଳିବିନିମୟରେ ଜଣେ ପୁଲିସ କର୍ମୀ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି।

କଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବା ମୁତାବକ, ଆଜି ସକାଳୁ ବାରାମୁଲାର କ୍ରିରି ଅଞ୍ଚଳରେ ଥିବା ନଜିଭଟ ଛକ ନିକଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନ୍‌କାଉଣ୍ଟରରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଜମ୍ମୁକଶ୍ମୀର ପୁଲିସର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଏନ୍‌କାଉଣ୍ଟର ପରେ ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଏବେବି ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି।

ଅନ୍ୟପଟେ ଜମ୍ମୁ କଶ୍ମୀର ପୁଲିସ ସୋମବାର ଅତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ୫ ସ୍ଥାନୀୟ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥିରୁ ୨ ଜଣଙ୍କୁ ଶ୍ରୀନଗରରୁ ଓ ୩ ଜଣଙ୍କୁ ବାରାମୁଲାରୁ ପୁଲିସ ଧରିଥିଲା। ଗିରଫ ଆତଙ୍କବାଦୀଙ୍କ ନିକଟରୁ ବନ୍ଧୁକ ଓ ଗୁଳିଗୋଳା ମଧ୍ୟ ଜବତ ହୋଇଛି। ବାରାମୁଲାରୁ ଗିରଫ ହୋଇଥିବା ୩ ଜଣଙ୍କ ଆତଙ୍କବାଦୀ ଏପ୍ରିଲ ମାସରେ ଘାଟିରେ ସରପଞ୍ଚଙ୍କୁ କରାଯାଇଥିବା ହତ୍ୟା ମାମଲାରେ ସାମିଲ ଥିବା ପୁଲିସ କହିଛି।

Related Posts