ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସେଲିବ୍ରେଟୋରି ଫାୟାରିଂ ମାମଲାରେ ବିହାର ବିଜେପି ବିଧାୟକ ଦୋଷୀସାବ୍ୟସ୍ତ । ତେବେ ବିହାରର ସାହେବଗଞ୍ଜ ବିଧାୟକ ୨୦୧୮ ମସିହାରେ ଦକ୍ଷିଣ ଦିଲ୍ଲୀର ଫତେପୁର ବେରି ସ୍ଥିତ ତାଙ୍କ ଫାର୍ମହାଉସ୍‌ରେ ନୂଆବର୍ଷ ପାର୍ଟି ସମୟରେ ଖୁସିରେ ଫାଙ୍କା ଗୁଳି ଚାଳନା କରିଥିଲେ। ଭୁଲ୍‌ବସତଃ ଗୁଳି ଜଣେ ୪୫ ବର୍ଷୀୟା ମହିଳାଙ୍କ ଦେହରେ ବାଜିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଜି ରାଉଜ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି ବିଶାଲ ଗୋଗନେ ବିଧାୟକ ରାଜୁ କୁମାର ସିଂହଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି।

ଜୁନ୍‌ ୯ ତାରିଖରେ କୋର୍ଟ ଏହି ମାମଲାରେ ଦଣ୍ଡାଦେଶ ଶୁଣାଇବେ। ମାମଲାରେ ବିଧାୟକଙ୍କୁ ମାତ୍ରାଧିକ ୩ ବର୍ଷ କାରାଦଣ୍ଡ ହୋଇପାରେ। ଅନ୍ୟପକ୍ଷେ କୋର୍ଟ ଏହି ମାମଲାରେ ସିଂହଙ୍କ ପତ୍ନୀ ରେଣୁ ସିଂହ ଏବଂ ଅନ୍ୟ ୨ ଜଣଙ୍କୁ ମାମଲାରୁ ଦୋଷମୁକ୍ତ କରିଛନ୍ତି। ପ୍ରମାଣ ଅଭାବରୁ କୋର୍ଟ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି।ରାଜୁ କୁମାର ସିଂହ ପୂର୍ବରୁ ଜେଡିୟୁରେ ଥିଲେ। ସେ ଆମ୍ବେଦକର କଲୋନିର ରୋଜ୍‌ ଫାର୍ମ ସ୍ଥିତ ତାଙ୍କ ଫାର୍ମହାଉସ୍‌ରେ ନୂଆବର୍ଷ ପାର୍ଟି ମନାଉଥିବାବେଳେ ଖୁସିରେ ଫାଙ୍କା ଗୁଳି ଚାଳନା କରିଥିଲା। ଏହା ଆବେଦନକାରୀଙ୍କ ପତ୍ନୀ ଅର୍ଚନା ଗୁପ୍ତାଙ୍କ ଦେହରେ ବାଜିଥିଲା। ତାଙ୍କୁୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ସେଠା‌ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।