ବିହାରର ବଦଲା ଅରୁଣାଚଳ ପ୍ରଦେଶରେ ନେଲା ବିଜେପି, ଜେଡିୟୁର ଏକମାତ୍ର ବିଧାୟକ ବିଜେପିର ସାମିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ସରକାର ଭାଙ୍ଗିବାର ବଦଲା ଅରୁଣାଚଳ ପ୍ରଦେଶରେ ନେଇଛି ବିଜେପି। ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ। ଶେଷ ମୂହୁର୍ତ୍ତରେ ବିଜେପିକୁ ଜେଡିୟୁ ଯେଉଁ ଧୋକା ଦେଇଥିଲା, ଆଜି ଅରୁଣାଚଳରେ ତାହାର ପ୍ରତିଶୋଧ ନେଇଛି ବିଜେପି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ଥିବା ଏକମାତ୍ର ବିଧାୟକ ଆଜି ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି।

ଅରୁଣାଚଳ ପ୍ରଦେଶରେ ଥିବା ଜେଡିୟୁର ଏକମାତ୍ର ବିଧାୟକ ଟେଚି କାସୋ ତାଙ୍କ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଅରୁଣାଚଳରେ ଦଳୀୟ କର୍ମୀଙ୍କୁ ସ୍ୱାଗତ କରି ନଡ୍ଡା ଏକ ଟୁଇଟ୍‌ କରି ଲେଖିଛନ୍ତି ଯେ କାସୋ ଏବଂ ଅନ୍ୟ ନେତାଙ୍କ ଯୋଗଦାନରେ ସଂଗଠନ ଅଧିକ ଶକ୍ତିଶାଳୀ ହେବ। ରାଜ୍ୟର ବିକାଶରେ ସେମାନଙ୍କର ଭୂମିକା ନିର୍ବାହ କରି ସମସ୍ତ ନେତା ବିଜେପିର ବିକାଶ ଯାତ୍ରାକୁ ନୂତନ ଉଚ୍ଚତାକୁ ନେବେ ବୋଲି ସେ ଲେଖିଛନ୍ତି। କାସୋ ସାମିଲ ହେବା ପରେ ଅରୁଣାଚଳରେ ୬୦ସଦସ୍ୟ ବିଶିଷ୍ଟ ଗୃହରେ ବିଜେପିର ଶକ୍ତି ୪୯କୁ ବୃଦ୍ଧି ପାଇଛି।

ଉଲ୍ଲେଖଯୋଗ୍ୟ ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଜେଡିୟୁ ବିଜେପି ସହ ମିଶି ୨୦୧୯ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ମୋଟ ୧୫ଟି ଆସନରେ ଲଢ଼ିଥିବା ଜେଡିୟୁ ୭ଟି ଆସନ ଜିତିଥିଲା ଓ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା। ହେଲେ ଡିସେମ୍ବର ୨୫, ୨୦୨୦ରେ ୬ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବା ପରେ ଅରୁଣାଚଳରେ ଟେଚି କାସୋ ଜେଡିୟୁର ଏକମାତ୍ର ବିଧାୟକ ହୋଇଯାଇଥିଲେ। ହେଲେ ଏବେ ସେ ବିଜେପିରେ ସାମିଲ ହେବା ପରେ ଅରୁଣାଚଳରେ ଜେଡିୟୁ ବିଧାୟକ ଶୂନ୍ୟ ହୋଇଛି।

Related Posts