ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୩ ।୯: ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ସମଗ୍ର ଜିଲ୍ଲାରେ ସୋମବାରଠାରୁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ପ୍ରାର୍ଥୀମାନେ ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିପାରିବେ । ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଅକ୍ଟୋବର ୩ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିହେବ । ଅକ୍ଟୋବର ୨୧ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିବ । ଅକ୍ଟୋବର ୨୪ରେ ଭୋଟ ଗଣତି ହୋଇ ଅପରାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବିଧାନସଭା ନିର୍ବାଚନରେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳ ସମେତ ବିଜେପୁରରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଉଭୟ ଆସନରୁ ସେ ବିଜୟୀ ହେବା ପରେ ହିଞ୍ଜିଳି ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଗତ ପ୍ରାୟ ୩ ମାସ ହେଲା ଏହି ଆସନ ଖାଲି ପଡ଼ିଥିଲା । ତେବେ ନବୀନ ପ୍ରଥମଥର ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହାକୁ ନେଇ ସେ ସମୟରେ ରାଜନୀତି ଜୋର ଧରିଥିଲା । ହିଞ୍ଜିଳିରୁ ସେ ହାରିଯିବା ଭୟ ଥିବାରୁ ନବୀନ ବିଜେପୁରରେ ପ୍ରାର୍ଥୀ ହେଉଛନ୍ତି ବୋଲି କେତେକ କହିଥିବାବେଳେ, ପଶ୍ଚିମ ଓଡ଼ିଶା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ଏହି ପଦକ୍ଷେପ ନେଇଥିବା ଅନ୍ୟ କେତେକ କହିଥିଲେ । କାରଣ ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ସେତେଟା ଭଲ ନ ଥିଲା । ଅନ୍ୟପକ୍ଷରେ ନବୀନ ବିଜେପୁର ଛାଡ଼ିବା ପରେ ମଧ୍ୟ ବିଭିନ୍ନ ମହଲରେ ଏହାକୁ ନେଇ ସମାଲୋଚନା କରାଯାଇଥିଲା । ପଶ୍ଚିମ ଓଡ଼ିଶାବାସୀଙ୍କୁ ନବୀନ ଲଲିପପ୍ ଦେଇଥିବା ଆଲୋଚନା ହୋଇଥିଲା ।

Related Posts