ଗତ ତ୍ରିସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବୀମା କଂପାନୀରୁ ଶହେ କୋଟି ଟଙ୍କା ନେଇଛି ବିଜୁ ଜନତା ଦଳ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତ ତ୍ରିସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବୀମା କଂପାନୀରୁ ଶହେ କୋଟି ଟଙ୍କା ନେଇଛି ବିଜୁ ଜନତା ଦଳ । ଦୀର୍ଘଦିନ ଧରି କୃଷକମାନଙ୍କ ଆନ୍ଦୋଳନ ଓ ବରଗଡ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ସତ୍ୱେ ଏଚଡିଏଫସି ଏଗ୍ରୋ ବୀମା କମ୍ପାନୀ ଚାଷୀମାନଙ୍କୁ ୨୦୨୧-୨୨ବର୍ଷର ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଚାଷୀଙ୍କୁ ଯୋଗାଇ ଦେବାରେ ଜାଲିଆତି, ଟାଳଟୂଳ ନୀତି ଅବଲମ୍ବନ କରୁଛି । ଏଭଳି ଅନେକ ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି । ତେବେ ଆଜି ପଦ୍ମପୁର (ବରଗଡ) ପୂର୍ତ ଡାକବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇବା ସହ ଗତ ତ୍ରିସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବିଜୁ ଜନତା ଦଳ ସଂପୃକ୍ତ କମ୍ପାନୀଠାରୁ ୧ଶହ କୋଟି ଟଙ୍କା ଦଳୀୟ ପାଣ୍ଠି ସଂଗ୍ରହ କରିଥିବାରୁ ରାଜ୍ୟ ସରକାର ଚାଷୀଙ୍କୁ ସମର୍ଥନ ନକରି ବୀମା କମ୍ପାନୀ ସପକ୍ଷରେ କେନ୍ଦ୍ରକୁ ଚିଠି ଲେଖିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।

ସେପଟେ ଯେଉଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ପଞ୍ଜିକୃତ କରିଛନ୍ତି ସେମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଫସଲବୀମା ନଟଙ୍କା ନପାଇବା ପର୍ଯ୍ୟନ୍ତ ଚାଷୀଙ୍କ ହକ ପାଇଁ ବ୍ୟାପକ ବିଜେପି କୃଷକ ମୋର୍ଚ୍ଚା ଆନ୍ଦୋଳନ କରିବ । ଗତକାଲି ବରଗଡ କୃଷି ଭାଗର ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ପରେ ଆସନ୍ତା ୧୬ ତାରିଖ ଦିନ ବରଗଡ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ଘଂଟିଆ ଧାରଣା ଦିଆଯିବ । ଆସନ୍ତା ୧୮ ତାରିଖରେ ବିଭିନ୍ନ କୃଷକ ସଙ୍ଗଠନ ଦ୍ୱାରା ପଦ୍ମପୁର ସବଡିଭିଜନ ବନ୍ଦ ପାଳନର ଆହ୍ୱାନକୁ ବିଜେପି ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିବା ସହ ୧୮ ତାରିଖ ଆନ୍ଦୋଳନରେ ବିଜେପିର ସମସ୍ତ କାର୍ଯ୍ୟକର୍ତା ସାମିଲ ହେବା ପାଇଁ ଶ୍ରୀ ପୁରୋହିତ ଆହ୍ୱାନ କରିଛନ୍ତି ।

ଏଚଡିଏଫସି ବୀମା କମ୍ପାନୀକୁ ରାଜ୍ୟ ସରକାର କଳା ତାଲିକାଭୁକ୍ତ କରନ୍ତୁ ଓ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଏହି କମ୍ପାନୀ ସହ ଓଡିଶା ସରକାର ଚୁକ୍ତିପତ୍ର ସ୍ୱାକ୍ଷର କରନ୍ତୁ ନାହିଁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି । ଏତଦ୍ ସହ ପଦ୍ମପୁର ସବଡିଭିଜନକୁ ରାଜ୍ୟ ସରକାର ମରୁଡି ଘୋଷଣା କରି ଚାଷୀମାନଙ୍କ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts