
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ଶପଥ ନେଲେ ବିଲାୱଲ ଭୁଟ୍ଟୋ ଜର୍ଦାରୀ । ତେବେ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କୁ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ଜରଦାରୀ ବୁଧବାର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜା ସରିଫଙ୍କ ଝିଅ ନିଜର ପାସପୋର୍ଟ ପାଇବା ପାଇଁ ଲାହୋର ହାଇକୋର୍ଟରେ ଦାଖଲ କରିଥିବା ଯାଚିକାକୁ ଫେରାଇ ନେଇଛନ୍ତି ।ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲ୍ୱି ୩୩ ବର୍ଷୀୟ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ବୈଦେଶକ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ଶପଥ ନେବାର ପାଖାପାଖି ଗୋଟିଏ ସପ୍ତାହ ପୂର୍ବରୁ ବିଲାୱଲ ଭୁଟ୍ଟୋ ଜରଦାରୀ ପାକିସ୍ତାନ ମୁସଲିମ ଲିଗ ନୱାଜର ପ୍ରମୁଖ ନୱାଜ ସରିଫଙ୍କୁ ଲଣ୍ଡନରେ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ନୱାଜ ସରିଫ ଓ ଜର୍ଦାରୀ ଦେଶର ରାଜନୈତିକ ପରିସ୍ଥିତି ଉପରେ ଚର୍ଚ୍ଚା କରିବା ସହିତ ରାଜନୈତିକ ଓ ରାଷ୍ଟ୍ରୀୟ ହୀତ ପାଇଁ ମିଳିତ ଭାବେ କାମ କରିବା ପାଇଁ ସଙ୍କଳ୍ପ ନେଇଥିଲେ। ପାକିସ୍ତାନ ପିପୁଲ୍ସ ପାର୍ଟି ପାକିସ୍ତାନରେ ଏବେ ମେଣ୍ଟ ସରକାରରେ ଦ୍ୱିତୀୟ ସର୍ବବୃହତ ଦଳ ଅଟେ।
ଗତ ସପ୍ତାହ କ୍ୟାବିନେଟ୍ ଗଠନର ପ୍ରଥମ ଭାଗରେ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚି ସୃଷ୍ଟି କରିଥିଲା। ମାତ୍ର ୩୩ ବର୍ଷ ବୟସରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହୋଇଥିବା ବିଲାୱଲ ଭୁଟ୍ଟୋ ଜରଦାରୀ ଏହି ଦାୟିତ୍ୱ ତୁଲାଇବା ପାଇଁ ସବୁଠାରୁ କନିଷ୍ଠ ନେତା ଅଟନ୍ତି। ଶପଥ ଗ୍ରହଣ ପରେ ସେ କହିଛନ୍ତି ପାକିସ୍ତାନର ଯୁବକମାନେ କେବେବି ତାଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ଚେଷ୍ଠା ଛାଡ଼ନ୍ତୁ ନାହିଁ। କିଛି ବି ଅସମ୍ଭବ ନୁହେଁ। ଶପଥ ଗ୍ରହଣ କରିବା ପରେ ଜରଦାରୀ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସହିତ ଏକ ବୈଠକ ମଧ୍ୟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।