ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲାଉଡସ୍ପିକରକୁ ନେଇ ଚାଲିଥିବା ରାଜନୀତି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । ଗତ ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲାଉଡସ୍ପିକର ହଟେଇବା ଓ ଶବ୍ଦ କମ୍ କରିବା ନେଇ ନିର୍ଦ୍ଦେଶ ଦେଇଥିବା ବେଳେ, ଯାହା କାର୍ଯ୍ୟକାରୀ ହୋଇଛି । ଅନୁମତି ନେଇ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ। କିନ୍ତୁ ସଂପୃକ୍ତ ପରିସର ବାହାରକୁ ଶବ୍ଦ ଆସିପାରିବ ନାହିଁ। ଏହି ଘୋଷଣା ପରେ ବର୍ତ୍ତମାନ ରାଜ୍ୟର ୩୦,୦୦୦ ଧାର୍ମିକ ସ୍ଥାନରେ ଲାଉଡସ୍ପିକରର ଶବ୍ଦକୁ କମ କରାଯାଇଛି। ଯେଉଁମାନେ ଧାର୍ମିକ ସ୍ଥାନଗୁଡ଼ିକର ଦାୟିତ୍ୱରେ ଅଛନ୍ତି ସେମାନେ ନିଜେ ଏହି ପଦକ୍ଷେପ ନେଇଛନ୍ତି। ଏହା ସହ ୬,୦୦୦ ଧାର୍ମିକ ସ୍ଥଳରୁ ଲାଉଡସ୍ପିକରକୁ ହଟାଇଦିଆଯାଇଛି। ଗତ ୪ଦିନ ମଧ୍ୟରେ ଏଭଳି କରାଯାଇଥିବା କହିଛନ୍ତି ୟୁପିର ବରିଷ୍ଠ ପୁଲିସ ଅଧିକାରୀ।
ଧାର୍ମିକ ସ୍ଥାନରୁ ଲାଉଡସ୍ପିକର ହଟାଇବା ଏବଂ ଅନୁମତିପ୍ରାପ୍ତ ସୀମା ମଧ୍ୟରେ ଲାଉଡସ୍ପିକରର ଶବ୍ଦ ରଖିବା ପାଇଁ ଏକ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ୬୦୩୧ ଲାଉଡସ୍ପିକରକୁ ହଟାଇ ଦିଆଯାଇଛି ଏବଂ ୨୯୬୭୪ ଲାଉଡସ୍ପିକରର ଶବ୍ଦକୁ କମ କରିଦିଆଯାଇଛି ବୋଲି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି।
ତେବେ ଲାଉଡସ୍ପିକର ନେଇ ନିୟମ ତିଆରି କରିବା ସହ ରାଜ୍ୟରେ ବିଭିନ୍ନ ଧାର୍ମିକ ଶୋଭାଯାତ୍ରା ପାଇଁ ମଧ୍ୟ ନିୟମ ତିଆରି କରିଛନ୍ତି ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶରେ ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଯାତ୍ରା ହୋଇପାରିବ ନାହିଁ। ନୂଆ ନିର୍ଦ୍ଦେଶ ମୁତାବକ କୌଣସି ଶୋଭାଯାତ୍ରା ପାଇଁ ବର୍ତ୍ତମାନ ଆୟୋଜକମାନଙ୍କୁ ପ୍ରଥମେ ଅନୁମତି ନେବାକୁ ପଡିବ। ଏହା ସହିତ ଆୟୋଜକମାନଙ୍କୁ ଶୋଭାଯାତ୍ରା ସମୟରେ ଶାନ୍ତି ଏବଂ ସୌହାର୍ଦ୍ୟ ରକ୍ଷା କରିବା ପାଇଁ ଏକ ଆଫିଡେଭିଟ୍ ଦେବାକୁ ପଡିବ।
ଏହି ନିର୍ଦ୍ଦେଶ ଜାରି ସହ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ସବୁ ଶୋଭାଯାତ୍ରା ବହୁ ବର୍ଷ ଧରି ହୋଇଆସୁଛି ଓ ପରମ୍ପରା ସହ ଜଡିତ ଅଛି, ସେସବୁ ଧାର୍ମିକ ଶୋଭାଯାତ୍ରାକୁ ଅନୁମତି ଦିଆଯିବା ଉଚିତ। ଯଦି କିଛି ନୂତନ ଶୋଭାଯାତ୍ରା ହେବାର ଅଛି ଅନାବଶ୍ୟକ ଭାବରେ ଅନୁମତି ଦିଆଯିବା ଉଚିତ୍ ନୁହେଁ | ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।