ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ୍ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି ରାଗିଂ। କଲେଜରୁ ବିଦା ହେବେ ରାଗିଂ କରିଥିବା ଛାତ୍ର। ଏନେଇ ସୂଚନା ଦେଇଛନ୍ତି କଲେଜର ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା। ଅନ୍ୟପକ୍ଷରେ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି ଯେ, ଭାଇରାଲ୍ ଭିଡିଓରେ ଥିବା ସମସ୍ତ ୧୨ ଜଣଙ୍କୁ କଲେଜରୁ ବହିସ୍କାର କରାଯିବ।
ତେବେ ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୨ ନାବାଳକ ଅଭିଯୁକ୍ତଙ୍କୁ ବାଳସୁଧାର ଗୃହକୁ ପଠା ଯାଇଛି। ରାଗିଂରେ ସଂପୃକ୍ତ ଥିବା ଛାତ୍ରୀମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି କହିଛନ୍ତି।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍ରେ ଜଣେ +୨ ଛାତ୍ରୀଙ୍କୁ କେତେକ ଛାତ୍ରଛାତ୍ରୀ ରାଗିଂ କରୁଥିଲେ। +୩ ଛାତ୍ର ଅଭିଷେକ ନାହାକ ଓ ତାଙ୍କ ସାଥୀମାନେ ବାଡି ଧରି ଜଣେ ଛାତ୍ରୀଙ୍କ ଗାଲକୁ କିସ୍ ଦେବାକୁ ଜଣେ ଛାତ୍ରଙ୍କୁ କହୁଥିଲେ। ଛାତ୍ର ଜଣକ ଅସହାୟ ହୋଇ ଭୟରେ ଛାତ୍ରୀଙ୍କ ଗେଲ୍କୁ କିସ୍ ଦେଉଥିଲେ ଓ ଆଇ ଲଭ୍ ୟୁ କହୁଥିଲେ। ଅଭିଷେକ ଓ ତାଙ୍କ ସାଥୀ(ଛାତ୍ରଛାତ୍ରୀ)ମାନେ ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ ଦେଉଥିଲେ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଶେଷରେ ଭିଡିଓଟି ପୁଲିସ୍ ପାଖରେ ପହଞ୍ଚିଲା।
ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍ରେ ହୋଇଥିବା ରାଗିଂ ଭିଡିଓଟି ଭାଇରାଲ୍ ହେବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା। ପୁଲିସ୍ ନିଜ ଆଡୁ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ ପାଇଁ କଲେଜ ଅଧ୍ୟକ୍ଷାଙ୍କୁ କହିଥିଲେ। ଏପରିକି ଭାଇରାଲ୍ ହେଉଥିବା ଭିଡିଓଟି ଦେଇଥିଲା ପୁଲିସ୍।
ଭାଇରାଲ୍ ଭିଡିଓକୁ ନେଇ ଆଜି କଲେଜ କ୍ୟାମ୍ପସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ କଲେଜ ଅଧ୍ୟକ୍ଷା ପ୍ରମିଳା ଖଡ଼ଙ୍ଗା କହିଛନ୍ତି, ଆଜି ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟିର ବୈଠକ ବସିଥିଲା। ପୂରା ଘଟଣା ଉପରେ ଆଲୋଚନା ହୋଇଥିଲା। ଏହା ପରେ ଦୁଇ କମିଟି ମୋତେ ଗୋଟିଏ ରିପୋର୍ଟ ଦେଇଛନ୍ତି। ଯେଉଁଥିରେ +୩ର ଛାତ୍ର ଅଭିଷେକ ନାୟକ ଓ ଅନ୍ୟ ଜଣେ ଛାତ୍ରଙ୍କୁ କଲେଜରୁ ବାହାର କରିଦେବାକୁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ସେମାନଙ୍କ ସାଙ୍ଗରେ ଥିବା +୨ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ଟିସି ଦିଆଯାଇ କଲେଜରୁ ବାହାର କରିଦିଆଯିବ। ଏଥିରେ ଅନ୍ୟ ଯେଉଁ ପିଲାଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିଲେ, ସେମାନଙ୍କୁ କଲେଜରୁ ବାହାର କରିଦିଆଯିବ। ଏନେଇ ଗଣ ଶିକ୍ଷା ବିଭାଗ ଓ ବିଶ୍ୱବିଦ୍ୟାଳୟକୁ ଜଣାଇ ଦିଆଯାଇଛି। ଏପରି ଘଟଣା ଯେପରି ଆଗକୁ ନଘଟିବ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଅଧ୍ୟକ୍ଷା କହିଛନ୍ତି।
ଅନ୍ୟପକ୍ଷରେ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନ୍ ଅନୁସାରେ ପ୍ରତି ଶିକ୍ଷାନୁଷ୍ଠାନରେ ଇଣ୍ଟରନାଲ୍ ଆଣ୍ଟି ରାଗିଂ ସେଲ୍ ରହିବା କଥା। ଯେଉଁଥିରେ ବରିଷ୍ଠ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସଦସ୍ୟ ରହିବେ। ଆଉ ଯେତେବେଳେ ନୂଆ ବ୍ୟାଚ୍ର ଛାତ୍ରଛାତ୍ରୀମାନେ ଆଡ୍ମିସ୍ନ ପରେ ରାଗିଂରେ ସମ୍ମୁଖୀନ ହେଲେ, ସେମାନେ ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ କରିବେ। ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଆଣ୍ଟି ରାଗିଂ ସେଲ୍ ତର୍ଜମା କରିବ। ଯଦି ମାମଲାଟି ସାମାନ୍ୟ ହୋଇଥିବ, ତାହାହେଲେ ରାଗିଂ କରୁଥିବା ଛାତ୍ର ବା ଛାତ୍ରୀଙ୍କୁ ଚେତାବନୀ ଦିଆଯିବ। ଆଉ ଯଦି ରାଗିଂ ଅଭିଯୋଗ ସଙ୍ଗୀନ ହୋଇଥିବ, ତାହାହେଲେ ଆଣ୍ଟି ରାଗିଂ ସେଲ୍ ଥାନାରେ ଅଭିଯୋଗ କରିବ। ପୁଲିସ ସେମାନଙ୍କ ବିରୋଧରେ ଅପରାଧୀନ କାମଲା ରୁଜୁ କରିବ ବୋଲି ବ୍ରହ୍ମପୁର ଏସ୍ପି କହିଛନ୍ତି।
