ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିନୟତୋଷ ମିଶ୍ର(ଆଇପିଏସ୍) ଆଜି (ରବିବାର) ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଓଡ଼ିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି ।
ବିନୟତୋଷ ମିଶ୍ର ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ଉପସ୍ଥିତ ବରିଷ୍ଠ ଅଧିକାରୀଗଣ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ପରେ ତାଙ୍କୁ “ଗାର୍ଡ ଅଫ୍ ଅନର” ପ୍ରଦାନ କରାଯାଇଥିଲା । ପରେ ଡିଜିପି ଶ୍ରୀ ମିଶ୍ର ଶହିଦ ସ୍ମୃତିସ୍ତମ୍ଭ ଠାରେ ମାଲ୍ୟାର୍ପଣ କରି ଦେଶପାଇଁ ବଳିଦାନ ଦେଇଥିବା ପୁଲିସ କର୍ମଚାରୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଶ୍ରୀ ମିଶ୍ର କ୍ରାଇମବ୍ରାଞ୍ଚ ଡିଜି ଭାବେ ଦାୟିତ୍ଵ ତୁଲାଉଥିବା ବେଳେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ସମ୍ଭାଳିବେ।
ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ମିଶ୍ର ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟ ସରକାରଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଦାୟିତ୍ବକୁ ସେ ନିଷ୍ଠାର ସହ ସମ୍ପାଦନ କରିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିବ। ପ୍ରାୟ ଦୁଇ ବର୍ଷ ଧରି ଡିଜିପି, କ୍ରାଇମ୍ ବ୍ରାଞ୍ଚ ଭାବେ କାର୍ଯ୍ୟ କରି ଅପରାଧ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ନିରନ୍ତର ପ୍ରୟାସ କରାଯାଇଥିବା ସେ କହିଥିଲେ। ନାରୀ ସୁରକ୍ଷା, ସଂଗଠିତ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଏବଂ ସାଇବର ଅପରାଧ ନିୟନ୍ତ୍ରଣ ଉପରେ ଆଗାମୀ ଦିନରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ।
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସର ପ୍ରାୟ ୬୦ ହଜାର ପୋଲିସ କର୍ମଚାରୀ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ଜିଲ୍ଲାରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ସୁନିଶ୍ଚିତ କରିବେ ବୋଲି ଡିଜିପି ଶ୍ରୀ ମିଶ୍ର କହିଥିଲେ। ଲୋକମାନେ ଯେପରି ନିର୍ଭୟ ଓ ଆନନ୍ଦର ସହ ପର୍ବପର୍ବାଣୀ ପାଳନ କରିପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଓଡ୍ରାଫ୍ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ଧନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି ସେ କହିଥିଲେ।
