ବାଲଙ୍ଗୀର(ସତ୍ୟପାଠବ୍ୟୁରୋ): ବଲାଙ୍ଗୀର ତେଲ ନଦୀ କୂଳରେ ହାତୀ ପଲଙ୍କ ଉପସ୍ଥିତି ଦେଖି ଭୟଭୀତ ଗାଁ ଲୋକ। ହାତୀଙ୍କ ଉପଦ୍ରବ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁ ନିକଟ ତେଲ ନଦୀ କୂଳରେ ହାତୀ ପଲଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ଆଜି ସକାଳୁ ଗାଁର କିଛି ଲୋକ ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିବା ବେଳେ ହଠାତ୍ ହାତୀ ପଲଙ୍କୁ ଦେଖିଥିଲେ । ହାତୀଙ୍କୁ ଏତେ ନିକଟରେ ଦେଖି ଭୟଭୀତ ହୋଇପଡ଼ିଥିଲେ ଗ୍ରାମବାସୀ । ତୁରନ୍ତ ସେମାନେ ଅନ୍ୟ ଲୋକଙ୍କୁ ସତର୍କ କରିବା ସହ ବନ ବିଭାଗକୁ ଖବର ଦେଇଛନ୍ତି । ତେବେ ହାତୀ ପଲ କେଉଁ ଅଞ୍ଚଳରୁ ଆସିଛନ୍ତି ଏବଂ ବର୍ତ୍ତମାନ କେଉଁ ଦିଗକୁ ଯାଇଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ନଦୀକୂଳ ଓ ଗାଁ ନିକଟରେ ହାତୀଙ୍କ ଗତିବିଧି ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ବଢ଼ିଛି । ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
