କେନ୍ଦୁଝର(ସତ୍ୟପାଠବ୍ୟୁରୋ): ଲଗାଣ ବର୍ଷାରେ ବେହାଲ ହୋଇଛି କେନ୍ଦୁଝର ଚମ୍ପୁଆ ଅଞ୍ଚଳ। ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ିଥିବାବେଳେ ଏବେ ଅନେକ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଛି। ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ନିକଟରେ ବାଗଡେଗା ନାଳ ପୋଲ ଭାଙ୍ଗିଯିବାରୁ ସ୍ଥିତି ଆହୁରି ଗମ୍ଭୀର ହୋଇଛି। ପୋଲ ଭାଙ୍ଗିବା ପରେ ଏହା ଉପରେ ପ୍ରାୟ ଦୁଇ ଫୁଟ୍‌ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ ପଡୁଆ ଓ ଭଣ୍ଡା ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏହା ଯୋଗୁଁ ସ୍ଥାନୀୟ ଲୋକେ ଯାତାୟାତକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଗତରାତିରେ ଚମ୍ପୁଆରେ ପ୍ରବଳ ବର୍ଷା ହୋଇଥିଲା। ଆଜି ସକାଳ ୭ଟା ସୁଦ୍ଧା ଚମ୍ପୁଆରେ ୧୨୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଲଗାଣ ବର୍ଷା ଓ ନଦୀର ବଢ଼ୁଥିବା ଜଳସ୍ତର ମଧ୍ୟରେ ପୋଲ ଭାଙ୍ଗିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି ।