ଓଡ଼ିଶାରେ ବିଜେଡି – ବିଜେପିର ଓବିସି ପଲଟିକ୍ସକୁ ଝଟକା; ଏସସି – ଏସଟି କୁ ଛାଡି ଅନ୍ୟ ଜାତିଭିତ୍ତିକ ଜନଗଣନାକୁ ମନାକଲେ କେନ୍ଦ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ଜାତୀୟ ଜନଗଣନାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବ୍ୟତୀତ ଦେଶରେ କେଉଁ ଜାତିର କେତେ ଲୋକ ଅଛନ୍ତି, ତା’ର ଗଣତି କରାଯିବ ନାହିଁ। ଏହା ବ୍ୟତୀତ ଆଉ କୌଣସି ଜାତି ଆଧାରରେ କେତେ ଲୋକ ଅଛନ୍ତି, ତା’କୁ ଜନଗଣନାରେ ସାମିଲ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଦିନ ସ୍ପଷ୍ଟ ଭାବରେ କହିଛନ୍ତି।  ଲୋକସଭାରେ ପ୍ରତିକ୍ରିୟା ଦେଇ ଗୃହ ମନ୍ତ୍ରଣାଳୟ କହିଛି ଯେ ଏହି ନିଷ୍ପତ୍ତି ନୀତିଗତ ଭାବେ ନିଆଯାଇଛି। ସୂଚନାଯୋଗ୍ୟ ଯେ, ଜାତିଭିତ୍ତିକ ଜନଗଣନା କରିବା ପାଇଁ ଓଡ଼ିଶା ଓ ମହାରାଷ୍ଟ୍ର ସରକାର ଦାବି କରିଥିଲେ। ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ ଜନଗଣନାରେ ଜାତିସଂଘ ତଥ୍ୟ ସଂଗ୍ରହ ପାଇଁ କିଛି ରାଜ୍ୟ ସରକାର ଅନୁରୋଧ କରିଛନ୍ତି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଲୋକସଭାରେ କୁହାଯାଇଛି ଯେ “ଓଡ଼ିଶା ଓ ମହାରାଷ୍ଟ୍ର ସରକାର ଜାତୀୟ ଜନଗଣନା ସମୟରେ ଦାବି କରିଥିଲେ ଯେ କେଉଁ ଜାତିର କେତେ ଲୋକ ଦେଶରେ ରହୁଛନ୍ତି, ତା’ର ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଉ । କିନ୍ତୁ ଜନଗଣନାରେ ଏସ୍‌ସି ଓ ଏସ୍‌ଟିକୁ ଛାଡ଼ି ଅନ୍ୟ କୌଣସି ଜାତିଭିତ୍ତିକ ଜନଗଣନା ନକରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି।” କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ସଂସଦକୁ ସୂଚନା ଦେଇଥିଲେ ଯେ ୨୦୧୧ ଜନଗଣନା ବେଳେ ସଂଗ୍ରହ ହୋଇଥିବା ଜାତିଭିତ୍ତିକ ତଥ୍ୟକୁ ସାର୍ବଜନୀନ କରାଯିବ ନାହିଁ ।

ଗୃହ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାକୁ କହିଥିଲେ ଯେ ସାମାଜିକ-ଅର୍ଥନୈତିକ ଓ ଜାତିଭିତ୍ତିକ ଜନସଂଖ୍ୟାର ଗଣନା ୨୦୧୧ରେ କରାଯାଇଥିଲା। ଗ୍ରାମୀଣ ଓ ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ସଂଗୃହୀତ ତଥ୍ୟକୁ ହସ୍ତାନ୍ତର ହୋଇଥିଲା। ତେବେ ଏହାକୁ ବର୍ତ୍ତମାନ ସମୟରେ ସାର୍ବଜନୀନ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି।

 ପରେ ରିପୋର୍ଟରେ ଦର୍ଶାଯାଇଛି ଯେ ରେଜିଷ୍ଟ୍ରିରେ ଜାତିଭିତ୍ତିକ ତଥ୍ୟ ରଖିବାକୁ କେନ୍ଦ୍ର ସରକାର ଆଗ୍ରହୀ ନ ଥିବାରୁ ସରକାର SECC କୁ ଅପଡେଟ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

Related Posts