‘ବିଜେଡି ତ ସରକାର କରିପାରିବନି, ଏମାନଙ୍କୁ କାହିଁକି ଜିତାଇବା’: ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଯୋଗୀ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସୁ ଆସୁ ସରକାରଙ୍କ ଉପରେ ବର୍ଷିଲେ । ଆଉ କହିଲେ ୟୁପିରେ ଯେମିତି ଗୁଣ୍ଡାଙ୍କ ବିରୋଧରେ ବୁଲ୍‌ଡୋଜର ବୁଲିଲା, ସେମିତି ଓଡ଼ିଶାରେ ବି ମାଫିଆମାନେ ସାବାଡ଼ ହେବେ ।

ଚିଲିକା ବାଣପୁର ସଭାରେ ଯୋଗୀ ଆଦିତ୍ୟନାଥ ଭାଷଣ ଦେବା ବେଳେ କହିଛନ୍ତି, ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଏଠାରେ ଡବଲ ଇଂଜିନ ସରକାର ହେବ ।

ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ । ଉତ୍ତର ପ୍ରଦେଶର ବୁଲ୍‌ ଡୋଜର ପରି ଏଠାରେ ସାବାଡ଼ କରାଯିବ । ଏ ମୋଦିଙ୍କ ଭାରତ, ଯିଏ ବଦମାସୀ କରିବ, ସାବାଡ଼ କରାଯିବ । ଡବଲ ଇଂଜିନ ସରକାରରୁ କିଭଳି ଲାଭ ମିଳେ ୟୁପି ଦେଖେଇଛି । ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି । ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ।

ଏଠି କଂଗ୍ରେସକୁ ବି କଡ଼ା ସ୍ୱରରେ ଆକ୍ରମଣ କଲେ ଯୋଗୀ ଆଦିତ୍ୟନାଥ । ଆଜି ବି ଭାରତରେ ଏମିତି ଲୋକ ଅଛନ୍ତି, ଯିଏ କି ଖାଇବେ ଭାରତର, ଗାଇବେ ପାକିସ୍ତାନର । ଭାରତର ଯଦି ବନ୍ଦନ କରିନପାରିବ ତେବେ ଚାଲିଯାଅ । ମୋଦିଙ୍କ ନେତୃତ୍ୱରେ ସୁରକ୍ଷା, ସମ୍ମାନ, ବିକାଶ ସବୁ ହୋଇଛି । ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ମୋଦି ଶ୍ରୀରାମ ମନ୍ଦିର କରିଛନ୍ତି ।

ତେବେ ଓଡ଼ିଶାରେ ଚାର୍‌ଶୋ ପାର୍‌ ଶୁଣି ବିଜେଡିର ମୁଣ୍ଡ ବୁଲାଇଲାଣି । ଶ୍ରୀମନ୍ଦିର ରତ୍ନଭଣ୍ଡାର କଥା ନେଇ ଆକ୍ରମଣ ମଧ୍ୟ କରିଛନ୍ତି ଯୋଗୀ । ଏଠି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେଣି । କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ନୁହେଁ ପ୍ରଭୁଙ୍କ ଉପରେ ବି ଆଖି ପକାଇଲେଣି । ଥରେ ଆସନ୍ତୁ ଉତ୍ତର ପ୍ରଦେଶ, ଦେଖିବେ ସେଠି କେବଳ ଜୟ ଶ୍ରୀରାମ ନାରା ।

ଯୋଗୀ ଆହୁରି କହିଛନ୍ତି ଏଠି ତ ବିଜେଡି ସରକାର କରିପାରିବନି, ଏମାନଙ୍କୁ କାହିଁକି ଜିତାଇବା । ଓଡ଼ିଶାରେ ବାବୁମାନଙ୍କ ସରକାର ଚାଲିଛି । ଯେଉଁଠି ବାବୁରାଜ ଚାଲେ ସେଠି ଲୋକ ଉତ୍ପୀଡ଼ିତ ହୁଅନ୍ତି । ଜନ ପ୍ରତିନିଧିମାନଙ୍କ ଦ୍ୱାରା ହିଁ ଶାସନ ଚାଲିବା ଦରକାର । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି ଓଡ଼ିଶାରେ । ଯାହା କେବେ ବି ଗ୍ରହଣୀୟ ନୁହେଁ । ବିଜେଡି ତୁଷ୍ଟୀକରଣର ରାଜନୀତି କରୁଛି କହିଲେ ଯୋଗୀ । ଓଡ଼ିଶାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି ।

ତେବେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ହେଭିଓ୍ବେଟ୍‌ ନେତା । ଆଉ ଦିନକ ପରେ ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଆଜି ପ୍ରଚାରର ଶେଷ ଦିନ। ତେବେ ଏଥିପାଇଁ ଦମଦାର ଉଦ୍ୟମ କରୁଛନ୍ତି ଦଳୀୟ ପ୍ରାର୍ଥୀ।

Related Posts