‘ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବଜା କରି ନେଇଛନ୍ତି’: ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ):  ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିବ। ନବୀନ ବାବୁଙ୍କୁ ବନ୍ଦୀ କରି ରଖାଯାଇଛି । କ୍ୟାପଚର କରି ଦିଆଯାଇଛି । ନିର୍ବାଚନ ପ୍ରଚାର ପୂର୍ବରୁ ସମ୍ବଲପୁରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଭି. କେ. ପାଣ୍ଡିଆନଙ୍କୁ କଡ଼ା ନିଶାନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । 

ଆଜି ସମ୍ବଲପୁର, କେନ୍ଦୁଝର ଓ କଟକ ସଂସଦୀୟ କ୍ଷେତ୍ରରେ ମାରାଥନ୍ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । । ତା’ ପୂର୍ବରୁ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ । ମନ୍ଦିରରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କଡା ହମଲା କରିଥିଲେ ହିମନ୍ତ ବିଶ୍ବଶର୍ମା । ସେ କହିଥିଲେ,ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି । ଏଠି ଯେଉଁ 5T କଥା କୁହାଯାଉଛି, T ଅର୍ଥ ହେଉଛି ତାମିଲନାଡୁ। ଏ ସରକାର ଓଡ଼ିଶାର ସମ୍ପତ୍ତିକୁ ଆଉଟ ସୋର୍ସ କରିଛନ୍ତି ।

ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବଜା କରି ନେଇଛନ୍ତି। ପାଣ୍ଡିଆନ ଯାହା ଲେଖିକି ଦେଉଛନ୍ତି, ତାହାକୁ ପଢ଼ୁଛନ୍ତି ନବୀନ। ଓଡ଼ିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି। ପାଣ୍ଡିଆନଙ୍କୁ ହଟାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଏହି ନିର୍ବାଚନ। ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିଯିବ ଓ ସମସ୍ତେ ବିଜେପିକୁ ଆସିବେ ବୋଲି କହିଛନ୍ତି ହିମନ୍ତ ବିଶ୍ବଶର୍ମା। ସେ ଆଜି ଦେବଗଡ଼, ବଡବିଲ, କଟକର ଚୌଦ୍ବାର ଓ ବଡମ୍ବାରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ହିମନ୍ତ ବିଶ୍ବଶର୍ମାଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

Related Posts