ଭଦ୍ରକରେ ବଣୁ ମଲ୍ଲିକ ଚିତ୍ ପଟାଙ୍ଗ, ସ୍ଵାଧୀନ ଙ୍କ ଠୁ ହାରିଲା ବିଜେଡ଼ି

ସତ୍ୟପାଠ ବ୍ୟୁରୋ, ୨୬/୦୩: ଚଳିତ ପୌର ନିର୍ବାଚନରେ ବିଜେଡ଼ି ପାଇଁ ସବୁଠୁ ବଡ ବିପର୍ଯ୍ୟୟ ହେଉଛି ଭଦ୍ରକ ମ୍ୟୁନିସପାଲଟି ଚେୟାରପର୍ଶନ ଫଳାଫଳ। ବାଙ୍କା ବଜାରିଆଙ୍କ ମାଡ଼ରେ ମାଟି ଚାଟିଲା ବିଜେଡି। ନବୀନ ବାବୁ, ବବି ଭାଇ, ରଣନୀତି, ଗୋଟି ଚାଳନା କିଛି କାମ ଦେଲାନି। ଜଣେ ସ୍ଵାଧୀନ ପ୍ରାର୍ଥୀଙ୍କ ଠାରୁ ଲଜ୍ଜାଜନକ ଭାବେ ହାରିଲେ ବିଜେଡି ପ୍ରାର୍ଥୀ। ବିଧାୟକ ସଞ୍ଜୀବ ( ଡାକ ନାଁ ବଣୁ ) ମଲ୍ଲିକ ଙ୍କୁ ବିଚ୍ ବଜାର ରେ ମାତ ଦେଲେ ଜଣେ ସ୍ୱାଧୀନ ପ୍ରାର୍ଥୀ। ବିଜେଡିର ଏଭଳି ସର୍ମନାକ୍ ହାର୍ ପଛର ଏକମାତ୍ର କାରଣ କୁହାଯାଉଛି ବିଧାୟକ ବଣୁ ମଲ୍ଲିକଙ୍କ ରାଜନୈତିକ କଞ୍ଚା ବୁଦ୍ଧି। ଜିଲ୍ଳା ସଂଗଠନ ର ବହୁ ନେତାଙ୍କ କହିବା କଥା ଯେ ସଞ୍ଜୀବ ମଲ୍ଲିକ ଙ୍କ ଅହଂକାର ଓ ଭଦ୍ରକ ଟାଉନ ରାଜନୀତିରେ ସଂଖ୍ୟାଲଘୁ ମୁସଲମାନଙ୍କ ଗୁରୁତ୍ୱକୁ ବୁଝି ଗୋଟି ଚଳାଇବାର ଅପରିପକ୍ଵତା ହିଁ ମୁଖ୍ୟତଃ ଦାୟୀ।

ନିର୍ବାଚନ ଓ ପ୍ରାର୍ଥୀ ଚୟନ ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ବିଜେଡି ର ପୁରା ଏକ ପାଖିଆ ଦବଦବା ଥିଲା । କିନ୍ତୁ ପ୍ରାର୍ଥୀ ଚୟନ ରେ ବିଧାୟକଙ୍କ ମନମୁଖୀ ନିଷ୍ପତ୍ତି ହିଁ ପୁରା ଖେଳ ବିଗାଡି ଦେଲା। ବଣୁ ମଲ୍ଲିକ ଭଦ୍ରକରେ ଚିତ୍ ପଟାଙ୍ଗ ହେବାର ମୂଳ କାରଣ ସେ ନିଜେ ବୋଲି ସ୍ଥାନୀୟ ନେତାଙ୍କ ମତ। କାରଣ ୨୦୧୯ ନିର୍ବାଚନ ବେଳେ ସଂଖ୍ୟାଲଘୁ ମୁସଲମାନଙ୍କ ଭୋଟ ହାତେଇବା ପାଇଁ ବଣୁ ମଲ୍ଲିକ ସେବେ ପ୍ରତିଶୃତି ଦେଇଥିଲେ ଯେ ପୌର ନିର୍ବାଚନ ରେ ବିଜେଡି ପୌରାଧକ୍ଷ ପ୍ରାର୍ଥୀ ସଂଖ୍ୟାଲଘୁ କମ୍ୟୁନିଟି ରୁ ହିଁ ଦିଆଯିବ। ମାତ୍ର ଠିକ୍ ବେଳକୁ ଆଉ ଧରାଛୁଆଁ ଦେଲେ ନାହିଁ ବିଧାୟକ ବଣୁ । ମାଇନୋରିଟୀ କମ୍ୟୁନିଟି ରୁ ତ କାହାକୁ ଦେଲେନାହିଁ ଶେଷରେ ଯାହାକୁ ଦେଲେ ତାଙ୍କର ନା ଦଳରେ ନା ଭଦ୍ରକ ଟାଉନ ରେ କିଛି ବି ପତିଆରା ନାହିଁ।

ଭଦ୍ରକ ମ୍ୟୁନିସପାଲିଟି ରେ ଶାସକ ବିଜେଡିକୁ ମାତ ଦେଇ ବିଜୟ ମୁକୁଟ ପିନ୍ଧିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ଦଲାୱାଜୀ ହବିବ । ବିଜେଡି ପ୍ରାର୍ଥୀ ସମିତା ମିଶ୍ରଙ୍କୁ ୩୨୫୬ଖଣ୍ଡ ଭୋଟରେ ହରାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ସ୍ୱାଧୀନ ପ୍ରାର୍ଥୀ ଗୁଲ୍ମୁକି ଦଲାଓ୍ୱାଜୀ ହବିବ୍ ନିର୍ବାଚନରେ ମୋଟ ୨୮୧୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ସମିତା ମିଶ୍ରଙ୍କୁ ୨୪୮୫୯ ଖଣ୍ଡ ଭୋଟ ପାଇଁ ୨ୟ ସ୍ଥାନରେ ରହିଛନ୍ତି । ଏଭଳି ଭଦ୍ରକ ଏନ୍ଏସି ଲଢେଇ କଂଗ୍ରେସ ଓ ବିଜେପି ବହୁ ପଛରେ ପଡିଯାଇଛନ୍ତି । ବିଜେପି ପ୍ରାର୍ଥୀ ଗୀତାଞ୍ଜଳୀ ପଢିଆରୀ ୬୭୮୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅମିତାବାଳା ଆଚାର‌୍ୟ୍ୟ ୧୯୦୭ ଖଣ୍ଡ ଭୋଟ ପାଇଛନ୍ତି ।

ନିର୍ବାଚନରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀଙ୍କ ସ୍ଥିତି ଭଲ ନାହିଁ ବୋଲି ସ୍ପେଶାଲ ବ୍ରାଞ୍ଚ ରିପୋର୍ଟ ପାଇବା ପରେ, ଦଳର ସଙ୍କଟ ମୋଚନ ବବି ଦାସ ଭୋଟଦାନ ର କେଇଦିନ ପୂର୍ବରୁ ତୋଫାନୀ ଗସ୍ତରେ ଭଦ୍ରକ ରେ ଆସି ବିରାଟ ବଡ ସଭା ମଧ୍ୟ କରିଥିଲେ। ସବୁ ଅସନ୍ତୁଷ୍ଟ ନେତାଙ୍କୁ କୁଆଡେ ବୁଝାସୁଝା କରିଥିଲେ ବବି। କିନ୍ତୁ କିଛି କାମ ଦେଲାନି। ବାଙ୍କା ବଜାର, ପୁରୁଣା ବଜାର ଲୋକଙ୍କ ବାଣ ମାଡ଼ରେ ଘିଲା ଏବେ ବଣୁ।

ପୌରାଧ୍ୟକ୍ଷା ଫଳାଫଳ କୁ ନେଇ ଭଦ୍ରକ ବିଜେଡି ରେ ଏବେ ସଞ୍ଜୀବ ମଲିକଙ୍କ ବିରୋଧରେ ଅସନ୍ତୋଷ ଖୁଲମ୍ ଖୁଲା ହେବା ଆରମ୍ଭ କଲାଣି। ବଣୁ ଙ୍କ ବିରୋଧୀଙ୍କ କହିବା କଥା ଯେ, ଏ ରେଜଲ୍ଟ ୨୦୨୪ ର ପୂର୍ବାଭାଷ।

Related Posts