୧୫ ଦିନରେ ନ୍ୟାୟ ନ ମିଳିଲେ ମା’ଙ୍କ ପରି ମୁଁ ବି ଆତ୍ମାହୁତି ଦେବି: ରାଜା

(ସତ୍ୟପାଠ ବ୍ୟୁରୋ) ବ୍ରହ୍ମପୁର: ପ୍ରଥମେ ଦୁର୍ବୃତ୍ତମାନେ ମୋତେ ଆକ୍ରମଣ କରିଥିଲେ କିନ୍ତୁ ବୟାନ ରେକର୍ଡ ବାହାନାରେ ଥାନାକୁ ଡାକି ମୋତେ ଗିରଫ କଲା ପୋଲିସ। ମିଥ୍ୟା କେସ୍‌ରେ ଫସାଇଲା। ଏସ୍‌ପିଙ୍କ ସାକ୍ଷାତ ନ ପାଇ ମା’ ଆତ୍ମାହୁତି ଉଦ୍ୟମ କରି ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତେଣୁ “୧୫ ଦିନ ଭିତରେ ନ୍ୟାୟ ନ ପାଇଲେ ମୁଁ ମଧ୍ୟ ଆତ୍ମାହୂତି ଦେବି”। ଏଭଳି ଚେତାବନୀ ଦେଇଛନ୍ତି ଆତ୍ମାହୂତି ଉଦ୍ୟମ କରି ଗୁରୁତର ହୋଇଥିବା ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ପୁଅ କୃତ୍ତିବାସ ମିଶ୍ର ଓରଫ ରାଜା ମିଶ୍ର । ଅନ୍ତରୀଣ ଜାମିନରେ ମୁକୁଳିବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ଏଭଳି କହିଛନ୍ତି ।

ଜାମିନରୁ ବାହାରିବା ପରେ ରାଜା ଅଭିଯୋଗ କରିଛନ୍ତି, ପ୍ରଥମେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ, ସେ ସଂପର୍କରେ ବୈଦ୍ୟନାଥପୁର ଥାନାରେ ସେ ଅଭିଯୋଗ କରିଥିଲେ। ହେଲେ ପୋଲିସ୍‌ ତାଙ୍କୁ ମିଥ୍ୟା କେସ୍‌ରେ ଫସାଇ ଗିରଫ କରିଥିଲା । ମାଆଙ୍କ ଆତ୍ମାହୂତି ପାଇଁ ପୋଲିସ୍‌ ଦାୟୀ । ଯଦି ତାଙ୍କୁ ନ୍ୟାୟ ନ ମିଳେ, ମୁଁ ମଧ୍ୟ ବାଧ୍ୟ ହୋଇ ଆତ୍ମାହୁତି ଦେବି ବୋଲି କହିଛନ୍ତି ରାଜା । ୨୫ ତାରିଖ ଯାଏ ରାଜାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍।

ଗତ ୨୮ ତାରିଖରେ ବାଇକ୍ ପାର୍କିଂକୁ କେନ୍ଦ୍ର କରି ରାଜା ଓ କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ମାମଲାରେ ସୁନୀଲ ମହାରଣା ନାମକ ଅନ୍ୟ ଜଣେ ଯୁବକ ଓ ତାଙ୍କ କେତେକ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ୍‌।  ସେମାନଙ୍କର ପାଲଟା ଅଭିଯୋଗରେ ରାଜା ବି ଗିରଫ ହୋଇଥିଲେ। ଏହି ଘଟଣାରେ ରାଜାଙ୍କ ମା’  ଆତ୍ମାହୁତି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମିନାକ୍ଷୀ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

Related Posts