ଅନୁପ ସାଏ ମିଷ୍ଟ୍ରି ଖୁଲାସା Published Date: February 14, 2020 ଭୁବନେଶ୍ୱର: କାହିଁକି ମା’ ଓ ଝିଅଙ୍କୁ ହତ୍ୟା କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ରହସ୍ୟ ଉପରୁ ପର୍ଦ୍ଧା ଉଠାଇଛି ଛତିଶଗଡ଼ ପୁଲିସ । ରାୟଗଡ଼ ପୁଲିସର ସୂଚନା ଅନୁଯାୟୀ, ସ୍ୱାମୀ ପରିତ୍ୟକ୍ତା ମହିଳା କଳ୍ପନା ଦାସଙ୍କର ଅନୁପ ସାଏଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା । ୨୦୧୧ରୁ ଦୁହେଁ ଭୁବନେଶ୍ୱରର ଏକ ଘରେ ରହୁଥିଲେ । ଅନୁପ ସାଏ ସବୁଦିନ ସେଠାକୁ ଯା’ଆସ କରୁଥିଲେ । ତେବେ କମଳା ତାଙ୍କୁ ବାହା ହେବାକୁ କହିବା ପରେ ଅକଳରେ ପଡ଼ିଯାଇଥିଲେ ଅନୁପ । କମଳାଙ୍କୁ ବାହା ହେବା ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଗୁପ୍ତ ଯୋଜନା କରିଥିଲେ ଅନୁପ । ୨୦୧୬ରେ ରାୟଗଡ଼ର ଏକ ମନ୍ଦିରରେ ବାହା ହେବା ପାଇଁ କମଳାଙ୍କୁ କହିଥିଲେ ଅନୁପ । ନିଜ ଡ୍ରାଇଭର ସହ କଳ୍ପନାଙ୍କୁ ନେଇ ଅନୁପ ରାୟଗଡ଼ ଯାଇଥିଲେ । ତେବେ ରାସ୍ତା ମଝିରେ କଳ୍ପନାଙ୍କୁ ମାରି ନିଜ ରାସ୍ତା ସଫା କରିବାକୁ ଯୋଜନା କରିଥିଲେ । ରାସ୍ତା ଉପରେ କମଳାଙ୍କ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ । ଏମିତିକି ତାଙ୍କ ଚେହେରାକୁ ଯେଭଳି ନଚିହ୍ନିହେବ ସେଥିପାଇଁ ମଧ୍ୟ ଯୋଜନା କରିଥିଲେ । କିନ୍ତୁ ରାସ୍ତାରେ ଗାଡ଼ି ମଟର ଆସୁଥିବାରୁ ସେମାନଙ୍କ ଯୋଜନା ସଫଳ ହୋଇନଥିଲା । ହତ୍ୟା କରି ଅନୁପ ନିଜ ଡ୍ରାଇଭରଙ୍କ ସହ ସେଠାରୁ ପଳାଇ ଆସିଥିଲେ । କଳ୍ପନାଙ୍କ ମୃତ ଦେହ ଚକ୍ରଧରପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆରୁ ପୁଲିସ ଉଦ୍ଧାର କରିଥିଲା । ସେବେଠାରୁ ଏନେଇ ପୁଲିସ ଖୋଳତାଡ଼ ଜାରି ରଖିଥିଲା । ଘଟଣାର ବର୍ଷକ ପରେ ମୃତ କଳ୍ପନାଙ୍କ ପରିଚୟ ମିଳିଥିଲା । ତାଙ୍କର ମୋବାଇଲ ରେକଡିଂ ଯାଂଚ କରିବା ପରେ ଅନୁପଙ୍କ ସଂପୃକ୍ତି ନେଇ ପୁଲିସ ସନ୍ଦେହ କରିଥିଲା । ଏନେଇ ପ୍ରାୟ ୭୦୦ ଲୋକଙ୍କୁ ଜେରା କରିବା ପରେ ଅନୁପ ହିଁ ହତ୍ୟା କରିଛନ୍ତି ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା । ତେବେ ଅନୁପଙ୍କୁ ଜେରା କରିବା ପାଇଁ ପୁଲିସ ଅନୁପଙ୍କୁ ବାରମ୍ବାର ଫୋନ କରିଥିଲେବି ସେ ତଦନ୍ତରେ ସହଯୋଗ କରିନଥିଲେ । ଫଳରେ ତାଙ୍କ ନାମରେ ୱାରେଂଟ ଜାରି ହୋଇଥିଲା । ଅନୁପଙ୍କ ଗତିବିଧି ଉପରେ ଛତିଶଗଡ଼ ପୁଲିସ ନିଘା ରଖିବା ସହ ବୁଧବାର ରାତିରେ ଉଠାଇ ନେଇଥିଲା ।