ତଣ୍ଟିଆ ଜଣକୁ, କ୍ଷମା ଆଉ ଜଣକୁ

ଭାବିଥିଲେ ତଣ୍ଟିଆ ମାରି ଖସିଯିବେ । ହେଲେ ସୋସିଆଲ ମିଡିଆରେ ସହିଦଙ୍କ ଦାଦାଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ପ୍ରବଳ ତୁମ୍ବିତୋଫାନ ହେଲାପରେ ଘଟଣାର 3 ଦିନ ପରେ ଲୋକଦେଖାଣିଆ କ୍ଷମା ମାଗିଲେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ହେଲେ ଜ୍ୱର କଡ଼ ଲେଉଟାଇଲା ଭଳି ସମଗ୍ର ପ୍ରସଙ୍ଗଟି ଏବେ ଏକ ବିସ୍ଫୋରକ ରୂପ ଧାରଣ କରିଛି । ପୁଲୱମା ଆତଙ୍କୀ ଆକ୍ରମଣ ରେ ସହୀଦ ହୋଇଥିବା କଟକ ନିଆଳିର ସିଆରପିଏଫ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ବିଧାୟକଙ୍କ ତଣ୍ଟିଆ ମାରିବା। ଭିଡ଼ିଓକୁ ପାକିସ୍ତାନର ଏକ ଗଣମାଧ୍ୟମ ମୁଖ୍ୟ ପ୍ରସଙ୍ଗ କରିଛି । ଭାରତୀୟ ରାଜନେତା ମାନେ ସହିଦଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମ ଭିଡ଼ିଓକୁ ପ୍ରମାଣ ସ୍ବରୂପ ଉପସ୍ଥାପିତ କରିଛି । ଯାହା ପୁଣିଥରେ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ କରିଛି ।

 

ତେବେ ପ୍ରସଙ୍ଗ ପାକିସ୍ତାନର ଅଭିଯୋଗ ନୁହେଁ । ଔଷଧ ବିକଳରେ ତାଟିଆ କାମୁଡୁଥିବା ପାକିସ୍ତାନ ଭିଡ଼ିଓଟିକୁ ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଥିବା ଆମେ ସମସ୍ତେ ଜାଣନ୍ତି ।

ତେବେ ସମଗ୍ର ଘଟଣାରେ ଦୋଷୀ କଟକ-ବାରବାଟୀ ବିଧାୟକଙ୍କ ବେପରୁଆ ଏବଂ ହେୟଜ୍ଞାନ ମନୋଭାବ ସହିତ ବିଜେଡି ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଅସମ୍ଭବ ନୀରବତାକୁ ରାଜ୍ୟବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏକ ଦାଇତ୍ୱବାନ ଗଣମାଧ୍ୟମ ଭାବରେ ଆମେ ଏ ପ୍ରସଙ୍ଗ ଉତ୍ଥାପନ କରିବାକୁ ଉଚିତ ମନେ କରୁଛୁ ।

ଏମିତି ଏକ ଲଜ୍ଜାଜନକ କାଣ୍ଡ ଭିଆଇ ସାରିବା ପରେ, 3 ଦିନ ପର୍ଯ୍ୟନ୍ତ ବିଧାୟକ ତଥା ବିଜେଡିର ଟାଣୁଆ ନେତା ଛାତି ଫୁଲେଇ ବୁଲୁଥିଲେ । ମାତ୍ର ସମଗ୍ର ଘଟଣାଟି ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ବିଧାୟକ ଲୋକ ଦେଖାଣିଆ କ୍ଷମା ପ୍ରାର୍ଥନା କରିଵା ସହ ଏମିତି କରିବାର ଦୁଇଟି ଉଦ୍ଭଟ ଯୁକ୍ତି ଉପସ୍ଥାପନ କଲେ । ଯାହା ସମ୍ପୂର୍ଣ୍ଣ ଭାବେ ହାସ୍ୟାସ୍ପଦ, ଲଜ୍ଜାଜନକ ଏବଂ ଅହଂକାର ପୂର୍ଣ୍ଣ ବୋଲି ଆମେ ବିଚାର କରୁଛୁ ।

ଭିଡ ନିୟନ୍ତ୍ରଣ ସହ ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମାରିଥିବା ନେଇ ବିଧାୟକ ଦେବାଶିଷ ଗଣମାଧ୍ୟମରେ ନିଜର ଯୁକ୍ତି ରଖିଲେ । ସେହିଭଳି ତଣ୍ଟିଆ ମାରିଥିବା ଲୋକଟି ସହିଦଙ୍କ ଦାଦା ବୋଲି ବିଧାୟକ ଜାଣିନଥିବା କ୍ୟାମେରା ଆଗରେ କହିଲେ । ବିଧାୟକଙ୍କୁ ଗୋଟିଏ ପ୍ରଶ୍ନ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ତଣ୍ଟିଆ ମରିବାର ଆବଶ୍ୟକତା କଣ ଥିଲା ? ଏମିତି କିଛି ଅଘୋଷିତ ନୀତି, ନିର୍ଦ୍ଧେଶ କଣ ବିଜେଡି ମୁଖିଆ ତାଙ୍କ ନେତାମାନଙ୍କୁ ଦେଇଛନ୍ତି କି ? ସେହିପରି ତଣ୍ଟିଆ ଖାଇଥିବା ଲୋକଟି ସହୀଦ ମନୋଜଙ୍କ ଦାଦା ବୋଲି କୁଆଡେ ଦେବାଶିଷ ବାବୁ ଜାଣିନଥିଲେ । ଏଥିରୁ ଦେବାଶିଷ ବାବୁ ସାଧାରଣ ଲୋକଙ୍କୁ କେତେ ଭଲ ପାଆନ୍ତି, ଏବଂ ସେମାନଙ୍କ ପାଇଁ କେତେ ସମ୍ବେଦନଶୀଳ ତାହା ଜଳଜଳ ଦିଶୁଛି । ସାଧାରଣ ଲୋକଙ୍କ ପାଇଁ ତାଙ୍କ ମନରେ କୌଣସି ସମ୍ମାନ ଅଧିକାର ନାହିଁ ବୋଲି ବିଧାୟକ ବାବୁ ପରୋକ୍ଷରେ କହିବାକୁ ଚାହୁଁଛନ୍ତି ।

ସବୁ ପ୍ରସଙ୍ଗକୁ ବଳିଗଲା ବିଧାୟକଙ୍କ କ୍ଷମା ପ୍ରାର୍ଥନା ସୁଆଙ୍ଗ ।  ସହିଦଙ୍କ ଦାଦାଙ୍କୁ ସର୍ବସମ୍ମୁଖରେ ତଣ୍ଟିଆ ମାରିଥିବା ବେଳେ ବିଧାୟକ ଟିଭି ବୁମ ଆଗରେ କ୍ଷମା ମାଗିବାକୁ ପସନ୍ଦ କଲେ । ଯାହା ତାଙ୍କର ନିମ୍ନ ମାନସିକତା, ନୈତିକତା ତଥା ତାଙ୍କ ନିକଟରେ ଶାଳୀନତାର ଘୋର ଅଭାବ ଥିବା ନେଇ ସ୍ପଷ୍ଟ ସଂକେତ ପ୍ରଦାନ କରୁଛି । ସହୀଦଙ୍କ ପରିବାର ଲୋକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ନିଜ କଲା କର୍ମକୁ ନେଇ ଦୁଃଖ ପ୍ରକାଶ କରିବା ବଦଳରେ ମିଡ଼ିଆ ଆଗରେ କ୍ଷମା ପ୍ରାର୍ଥନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧାରଣ ଲୋକେ ।

ତେବେ ସମ୍ପୂର୍ଣ୍ଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ ରହିବା ତାଙ୍କ ଅସଲ ଚେହେରାକୁ ପଦାକୁ ଆଣୁଛି । ବ୍ରାହ୍ମଣଙ୍କ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେବାରୁ ତାଙ୍କ ଚୌକି ଖାଇଥିବା ନବୀନ ବାବୁ ଏତେ ବଡ ସ୍ପର୍ଶକାତର ବିଷୟରେ ଚୁପ କଣ ପାଇଁ ଏବେ ପ୍ରଶ୍ନ ଉଠିଲାଣି । ବିରୋଧୀଙ୍କ ମନ୍ତବ୍ୟକୁ ବକବାସ ବୋଲି କହି ତାସ୍ୟଲ୍ୟ କରିବା ସହ ଛୋଟ ଛୋଟ ଘଟଣାରେ ପ୍ରେସ ରିଲିଜ ମାଧ୍ୟମରେ ସଫେଇ ଦେଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସେ ନେଇ ଦଳୀୟ ନେତାମାନେ ମଧ୍ୟ ଚୁପ ରହୁଛନ୍ତି ।

ଅତୀତରେ ବିଜୁବାବୁ ନିଜର ଦୁଃସାହାସିକତା ବଦଳରେ ରାଜ୍ୟ ଏବଂ ଦେଶ ପାଇଁ ସୁନାମ ଆଣିଥିଲେ । ଏପଟେ ତାଙ୍କରି ଆଦର୍ଶରେ ଚାଲୁଥିବା ଦଳର ନେତାମାନେ ନିଜର କଲାକର୍ମ ପାଇଁ ପାକିସ୍ତାନରେ ଶଙ୍ଖ ଫୁଙ୍କିଲେଣି ।

Related Posts