ନିରତାର ନିର୍ଦ୍ଦେଶକଙ୍କୁ ଆକ୍ରମଣର ମାଷ୍ଟରମାଇଣ୍ଡ ପାଇଁ ସୁପାରିଶ କରିଥିଲେ ଭର୍ତ୍ତୁହରି

 

ସତ୍ୟପାଠ ବ୍ୟୁରୋ : ନିରତାର ନିର୍ଦ୍ଦେଶକ ଡ. ଶକ୍ତିପ୍ରସାଦ ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତର ଶାସକ ଦଳ ଲିଙ୍କ । ଅଭିଯୁକ୍ତକୁ ଜଣେ ବିଜେଡିର ଜଣେ ହେଭିୱେଟ ସାଂସଦ ଚାକିରୀରେ ରଖାଇ ଦେବାକୁ ପୂର୍ବରୁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ । ଯାହାର ପ୍ରମାଣ ଲାଗିଛିି ସତ୍ୟପାଠ ହାତରେ ।

ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି ନିରତାର କ୍ୟାଣ୍ଟିନରେ ୱେଟର ଥିବା ଦିବ୍ୟାଙ୍ଗ ଲକ୍ଷ୍ମୀଧର ମଲ୍ଲିକ । ତା ସହ ବ୍ରହ୍ମାନନ୍ଦ ଭୋଇ ନାମକ ଜଣେ ଚୁକ୍ତି ଭିତ୍ତିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ମିଶି ଡାକ୍ତର ଶ୍ରୀ ଦାସଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ । ବଡକଥା ହେଉଛି, ବ୍ରହ୍ମାନନ୍ଦ ଏନେଇ ସୁପାରୀ ଦେବା ସହ ଘଟଣାଦିନ ଡାକ୍ତରଙ୍କ ଗତିବିଧୀ ନେଇ ବି ଦୁବୃର୍ତ୍ତଙ୍କୁ ସୂଚନା ଦେଉଥିଲା । ପୁଲିସ ନିକଟରେ ଏହା ମାନିଛି ବ୍ରହ୍ମାନନ୍ଦ ।

 

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁପାରୀ ଦେଇଥିବା ଅଭିଯୁକ୍ତ ବ୍ରହ୍ମାନନ୍ଦ ସହ ବିଜେଡି ସାଂସଦଙ୍କ ସମ୍ପର୍କ ।  କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ସହ ବ୍ରହ୍ମାନନ୍ଦର ଏଭଳି ସମ୍ପର୍କ ଥିଲା ଯେ, ତାକୁ ଚାକିରୀରେ ରଖାଇ ଦେବାକୁ ୨୦୧୭ ସେପ୍ଟେମ୍ବର ୨୩ରେ ସାଂସଦ ମହତାବ ବାବୁ ନିଜ ଲେଟର ହେଡରେ ନିରତାର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ । ଖାଲି ସେତିକି ନୁହେଁ ଏଥିପାଇଁ ସେ ନିର୍ଦ୍ଦେଶକ ଡା. ଦାସଙ୍କ ସହ ଟେଲିଫୋନରେ କଥା ବି ହୋଇଥିଲେ । ଯାହାର ପ୍ରମାଣ ହେଉଛି ସତ୍ୟପାଠ ତରଫରୁ ପୋଷ୍ଟ କରାଯାଇଥିବା ଏହି ଚିଠିଟି । ଯେଉଁଥିରେ ଉଭୟଙ୍କ ଭିତରେ ହୋଇଥିବା ଟେଲିଫୋନ ବାର୍ତ୍ତାଳପ ସମ୍ପର୍କରେ ନିର୍ଦ୍ଦେଶକଙ୍କୁ ମନେ ପକାଇ ଦେଇଛନ୍ତି ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ।

 

ତେବେ ଏଠାରେ କହି ରଖୁଛୁ, ଅନେକ ସମୟରେ ନେତାଙ୍କ ପାଖକୁ ନିଜ ନିର୍ବାଚନ ମଣ୍ଡଳୀର ଲୋକେ ସହାୟତା ପାଇଁ ଆସିଥାଆନ୍ତି । ସେମାନଙ୍କର ଆଶା ଥାଏ ଯେ, ନେତାଙ୍କ ସୁପାରିଶରେ ଅନେକ କିଛି ହୋଇପାରେ । ହୁଏତ ଭର୍ତ୍ତୁହରିଙ୍କ କ୍ଷେତ୍ରରେ ସେଇଆ ହୋଇଥାଇପାରେ । ତାଙ୍କ ସୁପାରିଶରେ ଯଦି ଜଣେ ଚାକିରୀ କରି ପାରୁଛି ତେବେ ସେଥିରେ ସେ ହେଳା କରି ନଥିବେ ଓ ନିରତାର ନିର୍ଦ୍ଦେଶକଙ୍କ ସହ କଥା ହୋଇଥିବେ । କିନ୍ତୁ ତାଙ୍କ ସୁପାରିଶରେ ଚାକିରୀ ପାଇଥିବା ବ୍ରହ୍ମାନନ୍ଦ ଯେ, ତାଙ୍କ ପାଇଁ ପରବର୍ତ୍ତୀ ସମୟରେ ଏକ ବିବାଦ ହୋଇ ଛିଡା ହେବ ତାହା ସେ ଭାବି ନଥିବେ । ଅବଶ୍ୟ ସବୁ ନେତାଙ୍କ ପାଇଁ ଏହି ଘଟଣା ଏକ ସତର୍କଘଣ୍ଟି ବୋଲି ଆମେ କହିପାରିବା । ନେତାମାନେ ସୁପାରିଶ କରୁଥିବା ବ୍ୟକ୍ତିର ଇତିହାସ ବାବଦରେ ବି ଟିକିଏ ଆଗୁଆ ପଢ଼ିଦେଲେ ଭଲ ହେବ ।

ସୂଚନାଯୋଗ୍ୟ, ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ପାଇଁ କଟକ ଜିଲ୍ଲା ଓଲଟପୁର ଠାରେ କାର୍ଯ୍ୟ କରୁଛି ଏସଭି ନିରତା । ଗତ କିଛି ଦିନ ତଳେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କୁ ମାରିଦେବା ପାଇଁ ରଚାଯାଇଥିଲା ଷଡଯନ୍ତ୍ର । ଆଉ ଏହି ଘଟଣାର ମୁଖ୍ୟ କାର୍ପଟଦାର ମାନେ ମାଷ୍ଟରମାଇଣ୍ଡ ହେଉଛି ଜଣେ ଦିବ୍ୟାଙ୍ଗ । କଟକ ସଦର ଏସଡିପିଓ ସୁବାଶ ପଣ୍ଡା ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ଏନେଇ ସତ୍ୟପାଠ ତରଫରୁ ସାଂସଦ ଭର୍ତ୍ତୁହରି ମହତାବଙ୍କୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଏନେଇ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।
Related Posts