ବିଜେଡିରେ ଅଲ ଇଜ୍ ନଟ୍ ୱେଲ, ଅତନୁଙ୍କୁ ନେଇ ଚିନ୍ତାରେ ସୁପ୍ରିମୋ !

ସତ୍ୟପାଠ ବ୍ୟୁରୋ : ପାଟକୁରା ନିର୍ବାଚନକୁ ଆଉ ବେଶୀ ଦିନ ନାହିଁ । ପ୍ରଚାର ପାଇଁ ହାତରେ ୧୦ ଦିନ । କିନ୍ତୁ ବିଜେଡିରେ ଯେମିତି ଅଲ ଇଜ୍ ନଟ୍ ୱେଲ ସ୍ଥିତି । ଏ କଥାକୁ ଖୋରାକ୍ ଯୋଗାଇଛି ମହାକାଳପଡା ବିଧାୟକ ତଥା ବିଜୟ ମହାପାତ୍ରଙ୍କୁ ପୂର୍ବରୁ ହରାଇଥିବା ଅତନୁ ସବ୍ୟସାଚୀ ନାୟକଙ୍କୁ ନବୀନ ନିବାସରୁ ସମନ । ଆଉ ମିଳିଥିବା ଖବର ଅନୁସାରେ ଅତନୁ ବି ନବୀନ ନିବାସକୁ ଯାଇ ଦଳ ସୁପ୍ରିମୋଙ୍କ ସାମ୍ନାରେ ହାଜର ହୋଇଛନ୍ତି । ତାଙ୍କ ସହ ଆଉ କିଛି ନେତାଙ୍କୁ ବି ଡକାଯାଇଥିଲା । ଏ ଘଟଣା ସୋମବାରର ବୋଲି କୁହାଯାଉଛି ।

ପାଟକୁରା ନିର୍ବାଚନରେ ବିଜୟଙ୍କ ପରାଜୟ ଲାଗି ଅତନୁଙ୍କ ଭାଗିଦାରୀ ବିଜେଡି ପାଇଁ ଅଧିକ ଜରୁରୀ । କିନ୍ତୁ ଅତନୁ କିମ୍ବା ତାଙ୍କ ଏଜେନ୍ସି ଧରାଛୁଆଁ ଦେଉ ନଥିବା ସେଠାରେ ଡେରା ପକାଇଥିବା ବିଜେଡି ପର୍ଯ୍ୟବେକ୍ଷକ ସଭାପତିଙ୍କୁ ରିପୋର୍ଟ କରିଥିଲେ । ଗରଦପୁର ଓ ମାର୍ଶାଘାଇ ବ୍ଲକରେ ଅତନୁଙ୍କ ସମର୍ଥକ ଅଧିକ ଥିବାରୁ ତାଙ୍କୁ ନବୀନ ନିବାସ ଡାକି ତାଗିଦ କରିବାକୁ ସଭାପତିଙ୍କୁ ଜଣାଇଥିଲେ ବିଜେଡି ନେତା । ଯାହାକୁ ନେଇ ଗଲା ସୋମବାର ନବୀନ ନିବାସରେ ବୈଠକ ଡାକିଥିଲେ ନବୀନ ।

ସୂଚନା ଅନୁସାରେ, ଗରଦପୁର ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜେଡି ପ୍ରାର୍ôଥନୀ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଂଜୟ ଅଗ୍ରୱାଲ, ଜିଲ୍ଲା ବିଜେଡି ସଭାପତି କିଶୋର ତରାଇ ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚ୍ଚୀଙ୍କୁ ଧରି ନବୀନ ନିବାସରେ ବୈଠକ ହୋଇଥିଲା । ଆଉ ବୈଠକରେ ଅତନୁଙ୍କୁ କଡା ତାଗିଦ ବି କରିଛନ୍ତି ସୁପ୍ରିମୋ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସହଯୋଗ କରିବାକୁ ଅତନୁଙ୍କୁ କୁହାଯାଇଛି । ତାଙ୍କ ସମର୍ଥକମାନେ ମୂଳରୁ ଦଳୀୟ ପ୍ରାର୍ଥୀନିଙ୍କୁ ବିରୋଧ କରୁଥିବାରୁ ଏହାର ପ୍ରଭାବ ଯେମିତି ଭୋଟରେ ନପଡେ ସେନେଇ କୁହାଯାଯାଇଛି ।

କୁହଯାଉଛି, ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରି ଓ ବିଜୟ ମହାପାତ୍ରଙ୍କୁ ପରାଜିତ କରି ଅତନୁ ସୁପ୍ରିମୋଙ୍କ ଗୁଡବୁକରେ ଥିଲେ । ହେଲେ , ପୂର୍ବରୁ ଅତନୁଙ୍କୁ ଯେଭଳି ଗୁରୁତ୍ୱ ଦିଆଯାଉଥିଲା ଏବେ ସେମିତି ସ୍ଥିତି ନାହିଁ । ଏବେ ପ୍ରତାପ ଜେନା ଓ ପ୍ରତାପ ଦେବ ଜିଲ୍ଲାରେ ସର୍ବେସର୍ବା ସାଜିଛନ୍ତି । ଯାହାକୁ ହଜମ କରି ପାରୁ ନାହାଁନ୍ତି ଅତନୁ । କିନ୍ତୁ ଦଳ ତରଫରୁ ସେଠାକୁ ପର୍ଯ୍ୟବେକ୍ଷକ ହୋଇ ଯାଇଥିବା ନେତାଙ୍କ ମତରେ ସେଠାରେ ଅତନୁଙ୍କ ବେସ୍ ଭଲ ଥିବାରୁ ତାଙ୍କ ବିନା ଦଳକୁ କ୍ଷତି ସହିବାକୁ ପଡିପାରେ । ତା ଛଡା, ନିର୍ବାଚନ ସମୟରେ ଦଳୀୟ ନେତାଙ୍କ ଭିତରେ ମତଭେଦ ବି ଦଳ ପାଇଁ ମହଙ୍ଗା ପଡିପାରେ । ତେଣୁ କୌଣସି ପରିସ୍ଥିତିରେ ବି ପରାଜିତ ହେବାକୁ ଚାହୁଁନଥିବା ବିଜେଡି, ବାଧ୍ୟ ହୋଇ ଅତନୁଙ୍କୁ ଡାକି ଆଲୋଚନା କରିଛି ।

ଅବଶ୍ୟ କୁହାଯାଇପାରେ, ଅତନୁଙ୍କ ଗୁରୁତ୍ୱ ବୁଝିଛି ବିଜେଡି । ଆଉ ପାଟକୁରା ବିଜୟ ପାଇଁ ତାଙ୍କରି ହାତରେ ହିଁ ଭାଲୁ ଧରାଇ ଦେଇଛି । ଯଦି ଫଳ ଭଲ ହେଲା ତେବେ ଶ୍ରେୟ ତାଙ୍କୁ ହିଁ ଯିବ ଆଉ ଯଦି ଫଳ ଖରାପ ହେଲା ତେବେ ସବୁ ଦୋଷ ବି ତାଙ୍କରି ମୁଣ୍ଡରେ ଯିବ ବୋଲି କୁଆଡେ ସଭାପତି ଅତନୁଙ୍କୁ ସଫା ସଫା ଶୁଣାଇ ଦେଇଥିବା ଶୁଣିବାକୁ ମିଳୁଛି ।

Related Posts