ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ଐତିହାସିକ ବିଜୟ ହାସଲ କରିଛି । କହିବାକୁ ଗଲେ ଏକତରଫା ବିଜୟ ହାସଲ କରିଛି ବିଜେଡ଼ି । ଯାହାକୁ ନେଇ ବିଜେଡି ମହୋଲ୍ ରେ ଉତ୍ସବ ର ମାହୋଲ । ଚାରିଆଡ଼େ ସୁବୁଛି ଶଙ୍ଖର ନାଦ । ସେପଟେ ବିଜେଡ଼ି ନିଜର ଏହି ବିଜୟ ତଥା ଖୁସି କୁ ବହୁ ଧୁମ୍ ଧାମରେ ପାଳନ କରିବା ନେଇ ଚିନ୍ତା କରୁଛି । ଆସନ୍ତା ୫ ଓ ୮ତାରିଖରେ ନିର୍ବାଚନମଣ୍ଡଳୀସ୍ତରରେ ବିଶାଳ ସମାବେଶର ଆୟୋଜନ କରିବ । ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସକୁ ନିର୍ବାଚନମଣ୍ଡଳୀସ୍ତରରେ ସାଧାରଣ ସଭା ଓ ମହିଳା ସମାବେଶ ମାଧ୍ୟମରେ ପାଳନ କରିବ । ଏହି ଦୁଇଟି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ସବୁ ନିର୍ବାଚନମଣ୍ଡଳୀରେ ତା’ର ବିଜୟ ଉତ୍ସବ ପାଳିବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦଳୀୟ କର୍ମକର୍ତ୍ତା ଓ ପଦାଧିକାରୀଙ୍କୁ ଚିଠି ଲେଖି ଆସନ୍ତା ମାର୍ଚ୍ଚ ୫ତାରିଖରେ ଦଳ ପକ୍ଷରୁ ସମସ୍ତ ନିର୍ବାଚନମଣ୍ଡଳୀରେ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳନ ନିମନ୍ତେ ସାଧାରଣ ସଭାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମାର୍ଚ୍ଚ ୮ତରେ ଆନ୍ତର୍ଜାତିକ ମହିଳା ଦିବସ ଥିବାରୁ ମହିଳା ବିଜେଡି ପକ୍ଷରୁ ସମସ୍ତ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରି ‘ମହିଳା ସଶକ୍ତିକରଣରେ ବିଜୁବାବୁଙ୍କ ଅବଦାନ ଓ ମହିଳା ସଶକ୍ତିକରଣ ପାଇଁ ବିଜେଡି ସରକାରଙ୍କ ପ୍ରତିବଦ୍ଧତା ଓ ନିଆଯାଇଥିବା ବିଭିନ୍ନ ପଦକ୍ଷେପ’ ସମ୍ପର୍କରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ନବୀନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳନ କରିବା ନିମନ୍ତେ ପ୍ରତିବଦ୍ଧ ହେବାକୁ ଆହ୍ୱାନ ଦେଇଥିବା ସୂଚନା ମିଳିଛି ।