ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ କବଳିତ କରି ବିଜେଡି ନିର୍ବାଚନ ଜିତୁଛି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡି ବାଜି ମାରିଛି । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଧିକାରୀମାନେ ଭେଟି ଅଭିନନ୍ଦନ ଜଣାଇଥିଲେ । ଏହା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇଉଠିଥିଲା । ଏହା ମଧ୍ୟରେ ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ କବଳିତ କରି ବିଜେଡି ନିର୍ବାଚନ ଜିତୁଛି। ବିରୋଧୀ ଯେଉଁ ଅଭିଯୋଗ କରି ଆସୁଥିଲେ ତାହା ପ୍ରମାଣିତ ହୋଇଛି । ଏପରି ଘଟଣା ଭାରତର ବ୍ୟୁରୋକ୍ରାଟ ଇତିହାସରେ କେବେ ଘଟି ନ ଥିଲା। ଏପରି କରି ଓଡ଼ିଶାରେ ପ୍ରଶାସନିକ ଅଧିକାରୀମାନେ ଜନସାଧାରଣଙ୍କ ପାଖରେ ଗର୍ହିତ ଅପରାଧ କରିଛନ୍ତି । ଅମଲାତନ୍ତ୍ର ଉପରୁ ଲୋକଙ୍କ ଆସ୍ଥା, ବିଶ୍ୱାସ ତୁଟିଯାଇଛି । ରାଜ୍ୟରେ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚି ଥିବା ବେଳେ ଏଠାରେ ଚାଲିଛି ଚାଟୁକାରିତାର ଶାସନ ।

ଜରୁରୀକାଳୀନ ପରିସ୍ଥିତି ବେଳେ ଏପରି ଅବସ୍ଥା ଦେଖିବାକୁ ମିଳିଥିବା କହିଛନ୍ତି, ପୃଥ୍ୱୀରାଜ ହରିଚନ୍ଦନ । ସେପଟେ ବିଜେପିର ଏପରି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ସୌଜନ୍ୟତା ଦୃଷ୍ଟିରୁ ପ୍ରାଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି । ସେ କହିଛନ୍ତି, ଅଫିସରମାନେ ସୌଜନ୍ୟତା ଦୃଷ୍ଟିରୁ ଅଭିନନ୍ଦନ ଜଣାଇବାକୁ ଭେଟିଛନ୍ତି । ଏଭଳି ପରମ୍ପରା ରହିବା ଉଚିତ, ଭାଇଚାରା ରହିବା ଦରକାର। ବିଜେପି ଯେଉଁ ରାଜ୍ୟରେ ଜିତୁଛି, ସେଠି ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟୁଛନ୍ତି । ଏଥିରେ କୌଣସି ଅସୁବିଧା ନାହିଁ । ନିର୍ଦ୍ଦିଷ୍ଟ ଅକେଜନ୍ରେ ପ୍ରଶାସନିକ ଅଧିକାରୀ ଭେଟିବାରେ ଅସୁବିଧା ନାହିଁ । ମାତ୍ର ସାକ୍ଷାତ ବେଳେ ପବ୍ଲିକ ଡିସ୍ପ୍ଲେ କରିବା ନିରପେକ୍ଷତାର ପ୍ରଶ୍ନ ସୃଷ୍ଟି କରୁଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts