ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି; ବଡ଼ଚଣାରୁ ବର୍ଷା, ଚମ୍ପୁଆରୁ ସନା

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ):  ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି । ବଡ଼ଚଣାରୁ ମିଳିଲା ସରପ୍ରାଇଜ୍, ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରାଙ୍କୁ ମିଳିଲା ଟିକେଟ ।

ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କଲା ବିଜେଡି । ଚମ୍ପୁଆରୁ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ରେମୁଣାରୁ ବିଦ୍ୟାସ୍ମିତା ମହାଳିକ ଓ ସିମୁଳିଆରୁ ସୁଭାଷିନୀ ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

କିଛିଦିନ ତଳେ ବିଜେଡିରେ ମିଶିଥିଲେ ଅଭିନେତ୍ରୀ ତଥା ଅନୁଭବ ମହାନ୍ତିଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିଲେ । ଗତ କିଛି ଦିନ ତଳେ ହିଁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଅନୁଭବ । ଆଉ ଏହାପରେ ରାଜନୀତିରେ ସିଧାସଳଖ ଏଣ୍ଟ୍ରି ମାରିଛନ୍ତି ତାଙ୍କ ପୂର୍ବତନ ପତ୍ନୀ ବର୍ଷା ।

ଅନୁଭବ ଥରେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଥରେ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ଗତ କିଛିଦିନ ତଳେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଭବ ପଦ୍ମ ଶିବିରରେ ସାମିଲ ହୋଇଥିଲେ । କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ । ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ମଧ୍ୟ ଦେଖିବାକୁ ମିଳୁନଥିଲା ।

କିଛିଦିନ ତଳେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେଡି । କଣ୍ଟାବାଞ୍ଜିରୁ ଖୋଦୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ରେଢ଼ାଖୋଲରୁ ପ୍ରସନ୍ନଙ୍କୁ ମିଳିଥିଲା ଟିକେଟ । ସେହିପରି ରୋହିତ ପୂଜାରୀଙ୍କୁ ମିଳିଲା ସମ୍ବଲପୁର ଟିକେଟ ।

Related Posts